ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡିଆମାନଙ୍କ ଘରେ ବାର ମାସରେ ତେର ପରବ। କାହିଁ କେତେ ଯେ ପରମ୍ପରା ମଧ୍ୟ ରହିଛି ତାହାକୁ ଗଣିଲେ ଶେଷ ହେବ ନାହିଁ । ତେବେ ଏହି ସବୁ ମଧ୍ୟରେ ରଜ ଗୋଟିଏ ଓଡିଆ ମାନଙ୍କର ଗଣ ପର୍ବ। ଯାହାକୁ କୁମାରୀ ମାନେ ପାଳନ କରିଥାଆନ୍ତି। ରଜ ତିନି ଦିନ ପିଠା ପଣା ଠାରୁ ଆରମ୍ଭ କରି ଦୋଳି ଖେଳରେ ଗାଁ ଦାଣ୍ଡ ଦୁଲୁକି ଉଠେ। କୁମାରୀ ମାନେ ସଜପଟା ହୋଇ ନୂଆ ଡ୍ରେସ ପିନ୍ଧି ରଜ ଦୋଳିରେ ଝୁଲନ୍ତି। ତେବେ ଗତ ଦୁଇ ବର୍ଷ ହେବ କରୋନା ପାଇଁ ରଜର ମାହୋଲ ଫିକା ପଡିଥିବା ବେଳେ ଚଳିତ ବର୍ଷ ବଡ ଧୁମଧାମରେ ପାଳନ ହେଉଛି ରଜ ପରବ। କୁମାରୀ ମାନେ ମେଳ ହୋଇ ପାଳନ କରୁଛନ୍ତି ରଜ। ରଜ ପାଇଁ ଦୋକାନ ବଜାରରେ ଭିଡ ଜମୁଥିବା ବେଳେ ସବୁ ଆଡେ ପାନ ଆଉ ପିଠାର ପସରା ମଧ୍ୟ ଦେଖିବାକୁ ମିଳୁଛି। ମୁଖ୍ୟତଃ ରଜକୁ ଚାରିଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ । ପରମ୍ପରାକୁ ଜୀବିତ ରଖିବା ପାଇଁ ଏହି ପର୍ବ ଆଜି ବି ପାଳନ କରାଯାଉଛି। କିନ୍ତୁ ଆଗ ଭଳି ଉତ୍ସାହ ଆଉ ଦେଖିବାକୁ ମିଳୁ ନାହିଁ।