ସନଷ୍ଟାର ଟିଭି ବ୍ୟୁରୋ
ଦୀର୍ଘ ୨ବର୍ଷରୁ ଅଧିକ ସମୟ ବ୍ୟବଧାନରେ ବାରବାଟୀରେ ହେବାକୁ ଯାଉଛି କ୍ରିକେଟ ମ୍ୟାଚ। ଏହି ଖେଳ ଦେଖିବା ପାଇଁ ଦର୍ଶକ ମାନଙ୍କ ଭିତରେ ନାହିଁ ନଥିବା ଉତ୍କଷ୍ଠା ମଧ୍ୟ ଦେଖିବାକୁ ମିଳିଛି। ଦର୍ଶକ ମାନେ ୨ଦିନ ଧରି ଲାଇନରେ ଛିଡା ହୋଇ ମ୍ୟାଚ ଦେଖିବା ପାଇଁ ଟିକେଟ ସଂଗ୍ରହ କରିଛନ୍ତି। ତେବେ ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । କଟକ ବାରବାଟୀ ରେ ଆସନ୍ତା ୧୨ ତାରିଖରେ ହେବାକୁ ଯାଉଛି ଇଣ୍ଡିଆ ଆଉ ସାଉଥ ଆଫ୍ରିକା ଟି-୨୦ ମ୍ୟାଚ। ତେବେ ଏହା ପୂର୍ବରୁ ପ୍ରଥମ ମ୍ୟାଚ ଭାରତ ଟିମ ହାରି ସାରିଥିବା ବେଳେ ନିଜ ଦର୍ଶକ ମାନଙ୍କୁ ନିରାଶ ନକରିବା ପାଇଁ ଦଳ ଖୁବ ପ୍ରୟାସ କରିବ। ତେବେ ଗତକାଲି ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟିମ ଭୁବନେଶ୍ବରରେ ପହଞ୍ଚି ଯାଇଛନ୍ତି। ବିମାନବନ୍ଦରରୁ ଭବ୍ୟ ସ୍ବାଗତରେ ତାଙ୍କୁ ମେ ଫେୟାର ହୋଟେଲ ପର୍ଯ୍ୟନ୍ତ ନିଆଯାଇଥିଲା। ଏହା ସହ ତାଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ ଓଡିଆ ଛୁଙ୍କ ରହିଥିଲା । ଆସନ୍ତା କାଲିର ମ୍ୟାଚ ଦେଖିବା ପାଇଁ ଦର୍ଶକ ପୂରା ପ୍ରସ୍ତୁତ ଥିବା ବେଳେ ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁ ବାରବାଟୀ ଷ୍ଟାଡ଼ିୟମ ମଧ୍ୟ ପ୍ରସ୍ତୁତ । ଗତକାଲି ପୋଲିସ ଡିଜି ଏବଂ ସିପି ବାରବାଟୀ ଆସି ଏହାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଆସନ୍ତାକାଲି ମ୍ୟାଚ ଥିବାରୁ ଆଜି ଶନିବାର ଅପରାହ୍ନରେ ଦକ୍ଷିଣ ଆଫ୍ରିକା ଓ ଭାରତ ବାରବାଟୀକୁ ଅଭ୍ୟାସ ନିମନ୍ତେ ଆସିବେ । ଅପରାହ୍ନ ୧ଟାରେ ପ୍ରଥମେ ଦକ୍ଷିଣ ଆଫ୍ରିକା ଅଭ୍ୟାସ କରିବାକୁ ଆସିବ ।ଏବଂ ଏହି ଅଭ୍ୟାସ ମ୍ୟାଚ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଭାରତୀୟ ଦଳ ଅପରାହ୍ନ ୫ଟାରୁ ରାତି ୭ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ । ଦୁଇ ଦଳର ଅଭ୍ୟାସ ଲାଗି ନେଟ୍ ପ୍ରସ୍ତୁତି ହୋଇଛି। ତେବେ ଉଭୟ ଦଳର ଅଭ୍ୟାସ ଦେଖିବାକୁ ଷ୍ଟାଡ଼ିୟମର ବିଭିନ୍ନ ଗ୍ୟାଲେରୀରେ ଦର୍ଶକଙ୍କ ଭିଡ ଜମିବ ବୋଲି ଆଶା କରାଯାଉଛି । ଖେଳାଳିମାନେ ଅଭ୍ୟାସ କରିବାକୁ ଆସିବାର ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ତେବେ ସମସ୍ତଙ୍କର ନଜର କାଲିର ମ୍ୟାଚ ଉପରେ । ଦଳ ଯଦି ଭଲ ପ୍ରଦର୍ଶନ କଲା ତେବେ ତାହା ସାରା ଦେଶବାସୀଙ୍କ ସହିତ ଓଡିଶାବାସୀଙ୍କ ମନ ଜିତିବ ବୋଲି ଆଶା କରାଯାଉଛି।