ସନଷ୍ଟାର ଟିଭି ବ୍ୟୁରୋ
ଚାନ୍ଦବାଲି:କମ୍ପାନୀ ପରିସରରେ ଶ୍ରମିକଙ୍କ ମୃତ୍ୟୁ। କ୍ଷତିପୂରଣ ଦାବିରେ ଗାଁ ମୁଣ୍ଡରେ ଆମ୍ବୁଲାନ୍ସରେ ପଡିରହିଛି ଶବ। ସୂଚନାମୁତାବକ ମୃତକ ଦାଦନ ଶ୍ରମିକ ହେଉଛନ୍ତି ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧିନ ନାଉରିଆ ପୋଖରୀ ଗାଁର ରବିନ୍ଦ୍ର ମାଝୀଙ୍କ ପୁଅ ଟୁକୁନା ମାଝୀ। ପରିବାର ପୋଷଣ ପାଇଁ ପ୍ରାୟ ୫ ବର୍ଷ ହେବ ତାମିଲନାଡୁର ସିପେରମପୁରମରେ ଚେନ୍ନାଇ ପ୍ଲାଷ୍ଟିକ ନାମକ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ରବିବାର ରାତିରେ ସାଥୀମାନଙ୍କ ସହ ଭୋଜିଭାତ କରି ଖାଇବାପରେ କ୍ବାଟରକୁ ଶୋଇବାକୁ ଯାଇଥିଲା। ମାତ୍ର କିଛି ସମୟ ପରେ ବାହାରକୁ ଆସି ସେହି କମ୍ପାନୀ ପରିସରରେ ଥିବା ଖଟିଆରେ ଶୋଇଥିଲେ ଏବଂ ସକାଳେ ସେ ମୃତ୍ୟୁବରଣ କରିଥିବା ଜଣାପଡିଥିଲା। ତେବେ ସ୍ଥାନୀୟ ପୋଲିସ ହସ୍ତକ୍ଷେପ ଓ କମ୍ପାନୀ ସହଯୋଗରେ ଶବ ବ୍ୟବଚ୍ଛେଦ କରାଯିବା ପରେ କମ୍ପାନୀର କାର୍ଯ୍ୟରତ ସେହି ଗାଁର ୪ ଜଣ ଓ ଘଣ୍ଟେଶ୍ୱର ଅଞ୍ଚଳର ଜଣେ ଶ୍ରମିକଙ୍କ ସହିତ ଆମ୍ବୁଲାନ୍ସ ଯୋଗେ ମଙ୍ଗଳବାର ରାତି ପ୍ରାୟ ୧୦ ଘଟିକା ସମୟରେ ଟୁକୁନାର ଶବକୁ ଗାଁରେ ପହଞ୍ଚାଯାଇଛି । ତେବେ ଶବକୁ ଗ୍ରାମବାସୀମାନେ ଗ୍ରହଣ ନକରି ଆମ୍ବୁଲାନ୍ସକୁ ଅଟକ ରଖିଛନ୍ତି । ମୃତକଙ୍କ ସ୍ତ୍ରୀ ଏବଂ ୬ମାସର ଶିଶୁର ଭରଣ ପୋଷଣ ପାଇଁ କମ୍ପାନୀ ଠାରୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ଟୁକୁନା ଗାଁରୁ ଦାଦନ ହୋଇ ଯାଇଥିଲା ଆଉ ଶେଷରେ ଶବ ହୋଇ ଫେରିଲା । ଏହି କଥାକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଟୁକୁନାର ମୃତ୍ୟୁ ସାଧାରଣ କି ତାହା ପଛରେ ଆଉ କିଛି କାହାଣୀ ରହିଛି ତାହାର ହିସାବ ମାଗୁଛନ୍ତି ପରିବାର ଲୋକେ। ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀକରି ଗ୍ରାମବାସୀ ଏବଂ ପରିବାର ଲୋକଙ୍କ ପକ୍ଷରୁ ଆମ୍ବୁଲାନ୍ସକୁ ଅଟକ ରଖା ଯାଇଛି। ତାର ସ୍ତ୍ରୀ ଏବଂ ୬ମାସ ର ଶିଶୁର ଭରଣ ପୋଷଣ ପାଇଁ କମ୍ପାନୀ ଏପରି ୧୦ ଲକ୍ଷ ଟଙ୍କା ନମିଳିଲେ ଶବ ଗ୍ରହଣ କରାନଯିବା ସହିତ ଆମ୍ବୁଲାନ୍ସକୁ ଛଡା ଯିବ ନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।(ରିପୋର୍ଟ :ପ୍ରଶାନ୍ତ କୁମାର ପାଣି)