ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜି ୪ଘଣ୍ଟା ପାଇଁ ଜଗା ଦର୍ଶନ ବନ୍ଦ। ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ସିଂହାର ( ବନକଲାଗି ) ନୀତି ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଅପରାହ୍ନ ୪ରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ଶେଷ ହେବା ପରେ ଶ୍ରୀଜୀଉଙ୍କୁ ମହାସ୍ନାନ କରାଯିବ । ଏହାପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ପରମ୍ପରା ଅନୁଯାୟୀ ଦ୍ଵିତୀୟ ଭୋଗ ମଣ୍ଡପ ପରେ ଭିତରୁ ଜୟବିଜୟ ଦ୍ଵାର ବନ୍ଦ କରାଯିବ । ଶ୍ରୀଜୀଉଙ୍କ ବନକଲାଗି ପାଇଁ ଦତ୍ତମହାପାତ୍ର ସେବକ ବିଭିନ୍ନ ପ୍ରାକୃତିକ ରଙ୍ଗସହ ରତ୍ନସିଂହାସନ ଉପରକୁ ଯିବେ । ମହାପ୍ରଭୁ ଶ୍ରୀବଳଭଦ୍ର , ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖ ସିଂହାର କରାଯିବ । ବନକଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବା ସହ ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିପାରିବେ ।