ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ପ୍ରଖ୍ୟାତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଠାରୁ ବିବାଦ ଯେମିତି ପିଛା ଛାଡୁନି । ଗୋଟିଏ ପରେ ଗୋଟିଏ ବିବାଦ ଘେରରେ ଫସୁଛନ୍ତି ହ୍ୟୁମାନ ସାଗର । ଏବେ ହତ୍ୟା ଧମକ ଭଳି ସଙ୍ଗୀନ ଅପରାଧ ରେ ତାଙ୍କର ନାମ ଯୋଡି ହୋଇଛି । ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ଗାଇ ଓଡିଶା ଏବଂ ଓଡିଶା ବାହାରେ ବହୁ ସୁନାମ ଅର୍ଜନ କରିଛନ୍ତି ହ୍ୟୁମାନ ସାଗର । ହେଲେ ଏବେ ସେହି ଗୀତ ଗାଇବାକୁ ନେଇ ସେ ବିବାଦରେ ଫସିଛନ୍ତି । ସୂଚନାମୁତାବକ, ସଙ୍ଗୀତକାର ଜାପାନୀ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ଗୀତ ଗାଇବାକୁ କଣ୍ଠଶିଳ୍ପୀ ହ୍ୟୁମାନଙ୍କୁ କହିଥିଲେ । ତେବେ ଜାପାନୀଙ୍କ କହିବା ଅନୁସାରେ ସେ ଗତ ୫ ବର୍ଷ ହେବ ହ୍ୟୁମାନ ସାଗରଙ୍କୁ ଗୀତ ଗାଇବାକୁ କହିଲେଣି । ହେଲେ ହ୍ୟୁମାନ ସାଗର ତାଙ୍କର ଏହି ପ୍ରସ୍ତାବକୁ ବାରମ୍ବାର ପ୍ରତ୍ୟାଖାନ କରି ଆସୁଛନ୍ତି । ଏବେ ଏହି ଘଟଣାକୁ ନେଇ ହ୍ୟୁମାନ ସାଗର ତାଙ୍କୁ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ସେ କହିଛନ୍ତି । ଏହା ସହ ହ୍ୟୁମାନ ସାଗର ସିଧାସଳଖ ଭାବରେ ଜଗନ୍ନାଥ ଭଜନ ଗାଇବେନି ବୋଲି ଜାପାନୀ ଙ୍କୁ ମନା କରିଦେଇଥିବା ସେ କହିଛନ୍ତି । ତେବେ ଏ ନେଇ ଜାପାନୀ ଥାନାରେ ଅଭିଯୋଗ କରିଛନ୍ତି ।
ତେବେ ଏତେ ସବୁ ପରେ ମଧ୍ୟ ଶୁକ୍ରବାର ସକାଳୁ ଫେସ୍ ବୁକୁରେ ଏକ ଭିଡିଓ ସେୟାର କରିଛନ୍ତି ହ୍ୟୁମାନ ସାଗର । ସେ ଭିଡିଓରେ କହିଛନ୍ତି କେବେ ବି ମୁଁ କୌଣସି ଧର୍ମକୁ ଆଘାତ କରିବାକୁ ଚାହେଁ ନାହିଁ । ମହାପ୍ରଭୁଙ୍କ ଡୋରି ଲାଗିଲେ ନିଶ୍ଚୟ ଗୀତ ଗାଇବି ବୋଲି ହ୍ୟୁମାନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ତାଙ୍କ ନାମରେ ଏମିତି ଅପବାଦ କରୁଛନ୍ତି ସେମାନେ କେଉଁ କାରଣରୁ ଏଭଳି କରୁଛନ୍ତି ଏବଂ ତାଙ୍କର ଏମିତି କରିବା ପଛରେ କଣ ସ୍ବାର୍ଥ ରହିଛି ତାହା ସେମାନେ ହିଁ ଜାଣିଥିବେ । ତେବେ ଭିଡିଓରେ ଜାପାନୀଙ୍କୁ ବଡ ଭାଇ ସମ୍ବୋଧନ କରିବା ସହ ସେ କିଛି ଭୁଲ୍ କରି ନାହାଁନ୍ତି ବୋଲି କହଛନ୍ତି । ଯଦି କିଛି ଭୁଲ୍ କରିଥିବି ତେବେ ନିଶ୍ଚୟ ଦଣ୍ଡ ପାଇବି ବୋଲି କହିଛନ୍ତି ହ୍ୟୁମାନ ସାଗର ।(ରିପୋର୍ଟ :ସୋନାଲି)