ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବର୍ଷ କୁ ବର୍ଷ ଦରଦାମ ହୁ ହୁ ହୋଇ ବଢିବାରେ ଲାଗିଛି । ଏହି କିଛି ଦିନ ହେବ ଅତ୍ୟାବଶ୍ୟକ ଜିନିଷର ଦରଦାମ ଲଗାତାର ଭାବେ ବଢିବାରେ ଲାଗିଛି । ହେଲେ ଏହାର କାରଣ କ’ଣ ରହିଛି ଏବେ ସାଧାରଣ ନାଗରିକ ପ୍ରଶ୍ନ କରୁଛନ୍ତି । ଏହି କିଛି ଦିନ ହେବ ପେଟ୍ରୋଲ ଦର ସାଙ୍ଗକୁ ଖାଇବା ତେଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ଏବେ ପୁଣି ଏଲପିଜି ସିଲିଣ୍ଡର ଦର ହଜାର ଟପି ହଜାର ଛବିଶି ରେ ପହଞ୍ଚିଛି । ଏହା ସହ ପରିବା ଦର କଥା ନ କହିଲେ ଭଲ । ସେହିପରି ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କାରୁ ବଢି ବଢି ୧୧୨ ଟଙ୍କାରେ ପହଞ୍ଚିଛି । ଏବଂ ଖାଇବା ରିଫାଇନ୍ ରୁଚି ଗୋଲ୍ଡ ତେଲ ଲିଟର ପିଛା ୬୦ଟଙ୍କାରୁ ବଢି ୭୦ ଟଙ୍କା ହୋଇଛି । ଏହା ସହ ୧୦ କିଲୋ ଅଟା ପ୍ୟାକେଟ୍ ର ଦାମ୍ ୩୪୦ ରୁ ବଢି ୩୮୦ ରେ ପହଞ୍ଚିଛି। ବଜାରରେ ପ୍ରତ୍ୟେକ ଜିନିଷର ଦରଦାମ୍ ବଢିବାରେ ଲାଗିଛି ।ତେବେ ଏଭଳି ଦରଦାମ ବୃଦ୍ଧି ହେବା ଦ୍ବାରା ଗ୍ରାହାକ ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଉଛି କେବଳ ଏତିକି ନୁହେଁ ଏହା ସହିତ ବିକ୍ରେତା ମଧ୍ୟ ପ୍ରଭାବିତ ହେଉଛନ୍ତି । ଏମିତି ପରିସ୍ଥିତି ରେ ସାଧାରଣ ନାଗରିକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କରୋନା ପାଇଁ ଆର୍ଥିକ ଅବସ୍ଥା ବର୍ତ୍ତମାନ ସୁଧୁରି ନଥିବା ବେଳେ ଏଭଳି ଦର ବୃଦ୍ଧି ପାଇଁ କାନ୍ଦୂଛନ୍ତି ସାଧାରଣ ଜନତା । ୨୦୨୨ ରେ ହୋଇଥିବା ଦରଦାମ ବୃଦ୍ଧି ଏହା ଗତ ଆଠ ବର୍ଷ ଧରି ହୋଇଥିବା ଦର ବୃଦ୍ଧିର ରେର୍କଡ ଭାଙ୍ଗିଛି । ଗୋଟିଏ ବର୍ଷରେ ଦରଦାମ ଦୁଇଗୁଣା ହୋଇଛି ।ଏପଟେ ସରକାରୀ ଚାକିରି ହେଉ କି ଘରୋଇ ଚାକିରି କିମ୍ବା ଦିନ ମଜୁରିଆ କୌଣସି ସ୍ତରରେ ଦରମା ବୃଦ୍ଧି କରାଯାଉନାହିଁ । ଏଭଳି ପରିସ୍ଥିତିରେ ରାଜ୍ୟ ଏବଂ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ତେବେ ଆସନ୍ତୁ ଦେଖିବା ୨୦୧୭-୨୦୨୨ ଏହି ୫ ବର୍ଷ ଭିତରେ କିଛି ଦ୍ରବ୍ୟର ବଢିଥିବା ଦର:
୨୦୧୭ ରେ ପେଟ୍ରୋଲ ୬୩.୫ ଟଙ୍କା ଲିଟର ପିଛା ଥିଲା କିନ୍ତୁ ୨୦୨୨ ଏହାରଦର ୧୧୨ ଟଙ୍କାରେ ପହଞ୍ଚିଛି । ଏହା ସହ ସୋରିଷ ତେଲ ଦର ୨୦୧୭ ରେ ୯୬ ଟଙ୍କା ଲିଟର ପିଛା ଥିବାବେଳ ଏହା ୨୦୨୨ ରେ ୨୪୦ ଟଙ୍କାରେ ପହଞ୍ଚିଛି । ସେଭଳି ଚିକେନ ଦର କିଲୋ ପିଛା ୧୪୦ ଟଙ୍କା ଥିବାବେଳେ ଏବେ ଏହି ଦର ୨୮୦ ଟଙ୍କାରେ ପହଞ୍ଚିଛି । ଏହା ସହ ନିତି ଦିନ ପରିବାରେ ବ୍ୟବହାର କରୁଥିବା ଆଳୁ ର ଦର ୨୦୧୭ ରେ ୧୦ ଟଙ୍କା ଥିବା ବେଳେ ୨୦୨୨ ଏହି ଦର କିଲୋ ପିଛା ୨୫ ଟଙ୍କାରେ ପହଞ୍ଚିଛି । ଏବଂ ଗୋଟିଏ ପଇଡର ଦାମ ୨୦୧୭ ରେ ୧୦ ଟଙ୍କା ଥିବା ବେଳେ ଏବେ ଗୋଟିଏ ପଇଡ ପାଇଁ ୪୫ ରୁ ୫୦ ଟଙ୍କା ଦେବାକୁ ପଡୁଛି । ତେବେ ଏଭଳି ଦରଦାମ ବୃଦ୍ଧି ଏବେ ସାଧାରଣ ଜନତାଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।(ରିପୋର୍ଟ:ସେନାଲି)