ସନଷ୍ଟାର ଟିଭି ବ୍ୟୁରୋ
ଉଦଳା : ଗୋଟିଏ ମାମଲାରେ ଅଭିଯୁକ୍ତକୁ ଉଠାଇ ଆଣି ଘଟଣାର ତଦନ୍ତ କରୁଥିଲା ପୋଲିସ। ହେଲେ ଅଭିଯୁକ୍ତର ହୋଇଗଲା ମୃତ୍ୟୁ। ଯାହାକୁ ନେଇ ଉଦଳା ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଛି। ଗତ ଜାନୁଆରୀ ମାସରେ ଉଦଳା ଥାନା ଏନଏସି ୫ ନମ୍ବର ୱାର୍ଡରେ ଜଣେ ମହିଳାଙ୍କ ଘରେ ପଶି ସୁନା ଅଳଙ୍କାର ସଫା କରିବା ବାହାନାରେ ଲୁଟ କରିନେଇଥିଲେ ଲୁଟେରା। ଉକ୍ତ ଘଟଣାରେ ବାଲେଶ୍ୱର ଜିଲ୍ଲା ମନ୍ଦାରପୁର ଅଞ୍ଚଳର ଯୁବକ ପ୍ରଦୀପ ଦାସଙ୍କୁ ଗତକାଲି ରାତିରେ ପୋଲିସ ତାଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ହେଲେ ଉକ୍ତ ଯୁବକ ଜଣଙ୍କୁ ପୋଲିସ ଆଣି ତଦନ୍ତ କରିଥିବା ବେଳେ ଆଜି ପ୍ରଦୀପର ଶରୀର ଅସୁସ୍ଥ ହୋଇଥିଲା। ତାକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଖାନାରେ ତାର ମୃତ୍ୟୁ ହୋଇଛି। ଯାହାକି ପୋଲିସ ଯୁବକ ପ୍ରଦୀପଙ୍କୁ ବାଡେଇ ବାଡେଇ ମାରିଦେଇଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଯାହାକୁ ନେଇ ଉଦଳା ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ଗ୍ରାମ୍ୟ ଜଳଯୋଗାଣ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ କୌଣସି ଅଭିଯୋଗ ନ ଥିବା ଏବଂ ପୋଲିସ ବିନା କୌଣସି କାରଣରେ ତାଙ୍କୁ ଉଠାଇ ଆଣି ବାଡେଇ ବାଡେଇ ହତ୍ୟା କରିଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ।(ରିର୍ପୋଟ: ଆଲୋକ କୁମାର ବେହେରା)