ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :କିନ୍ନରମାନଙ୍କ ଜୀବନ ଧାରାରେ ଉନ୍ନତି ସାଙ୍ଗକୁ ସମତା ଓ ନ୍ୟାୟ ସୁରକ୍ଷିତ କରିବାକୁ ରାଜ୍ୟ ସରକାରଙ୍କ ‘ ସ୍ଵୀକୃତି ’ କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ ପଦକ୍ଷେପ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି। ଆଜି ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ , ନିତି ଆୟୋଗ , ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କିନ୍ନର କଲ୍ୟାଣ ସଂପର୍କିତ ପୂର୍ବାଞ୍ଚଳ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଏହା କହିଛନ୍ତି । ଗତ ଫେବୃଆରୀ ମାସରେ ଭାରତ ସରକାର ଆରମ୍ଭ କରିଥିବା ‘ ସ୍ମାଇଲ୍ ’ କାର୍ଯ୍ୟକ୍ରମ , କିନ୍ନର କଲ୍ୟାଣ ପାଇଁ ପ୍ରାୟୋଜିତ ଜାତୀୟ ପୋର୍ଟାଲ ଓ ସଂପୃକ୍ତ ଆଇନଗୁଡ଼ିକର ସଫଳ ଅନୁପାଳନ ନିମନ୍ତେ ମତ , ପ୍ରସ୍ତାବ ଓ ପରାମର୍ଶ ଆହରଣ ସକାଶେ ଏହି ପୂର୍ବାଞ୍ଚଳ କର୍ମଶାଳା ଅନୁଷ୍ଠିତ ହୋଇଛି । ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କିନ୍ନରମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲାରେ ସେମାନଙ୍କ ପାଇଁ ସୁରକ୍ଷା ପ୍ରକୋଷ୍ଠ ଖୋଲାଯିବା , ୮୬ରୁ ଉର୍ଦ୍ଧ୍ବ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯିବା , ଜାତୀୟ ପୋର୍ଟାଲରେ ପ୍ରାୟ ୧୬୦୦ କିନ୍ନର ପଂଜୀକୃତ ହୋଇ ପ୍ରମାଣପତ୍ର ପାଇବା , ରାଜ୍ୟରେ କିନ୍ନରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଭିତିଭୂମି ପ୍ରସ୍ତୁତ ହେବା , ସେମାନଙ୍କୁ ସ୍ଵଳ୍ପସାଥୀ ଭାବେ ନିଯୁକ୍ତି ଦିଆଯିବା ଓ ପାକିଂ ଫି ଏବଂ ଅନ୍ୟାନ୍ୟ ଟିକସ ସଂଗ୍ରହରେ ନିୟୋଜିତ କରାଯିବା ପରି ପଦକ୍ଷେପଗୁଡ଼ିକ ନିଆଯାଇଛି ବୋଲି ପ୍ରକାଶ କରିଥିଲେ ।
ପ୍ରତିଜିଲ୍ଲାରେ କିନ୍ନରମାନଙ୍କ ନିମନ୍ତେ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ । ଏହି ପୂର୍ବାଞ୍ଚଳ କର୍ମଶାଳାରେ ଓଡ଼ିଶା ସମେତ ଛତିଶଗଡ଼ , ପଶ୍ଚିମବଙ୍ଗ , ବିହାର , ଝାଡ଼ଖଣ୍ଡ ରାଜ୍ୟ ଓ ଆଣ୍ଡାମାନ – ନିକୋବର କେନ୍ଦ୍ରଶାସିତ ଅଞ୍ଚଳରୁ କିନ୍ନର ପ୍ରତିନିଧି , ସ୍ଵେଚ୍ଛାସେବୀ ସଂଗଠନ କାର୍ଯ୍ୟକର୍ତ୍ତାଙ୍କ ସମେତ ଯୋଜନା , ସ୍ୱାସ୍ଥ୍ୟ , ଶିକ୍ଷା , ମହିଳା ଓ ଶିଶୁ ବିକାଶ , ଶ୍ରମ ଓ ନିଯୁକ୍ତି , ଗୃହନିର୍ମାଣ , ଦକ୍ଷତା ବିକାଶ , ସମାଜ କଲ୍ୟାଣ , ଜନଜାତି ବିକାଶ ପରି ବିଭାଗଗୁଡ଼ିକର ପଦାଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା ବକ୍ତବ୍ୟ ରଖି ରାଜ୍ୟରେ କିନ୍ନରମାନଙ୍କ ପାଇଁ ଥିବା ବିଭିନ୍ନ ସହାୟତାଗୁଡ଼ିକ ବାବଦରେ ସୂଚନା ଦେଇଥିଲେ । ଯୋଜନା କମିଶନଙ୍କ ସାମାଜିକ ନ୍ୟାୟ ପ୍ରଭାଗର ପ୍ରାକ୍ତନ ବରିଷ୍ଠ ପରାମର୍ଶଦାତା ଶ୍ରୀ ଜି.ବି. ପଣ୍ଡା , ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଜାତୀୟ ପ୍ରବନ୍ଧକ ଡ . ଚିରଂଜୀବ ଭଟ୍ଟାଚାର୍ଯ୍ୟ ବକ୍ତବ୍ୟ ରଖିଥିବାବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶିକା ଶ୍ରୀମତୀ ବ୍ରତତୀ ହରିଚନ୍ଦନ ସ୍ଵାଗତ ଭାଷଣ ଦେଇଥିଲେ । ଜାତିସଂଘ କାର୍ଯ୍ୟକ୍ରମର ଓଡ଼ିଶା ମୁଖ୍ୟ ଶ୍ରୀମତୀ ଆଭା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ ଦୀକ୍ଷିତ ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପଦକ୍ଷେପ ତଥା ନୂତନ କରି ଆରମ୍ଭ କରାଯାଇଥିବା ‘ ସ୍ମାଇଲ୍ ’ କାର୍ଯ୍ୟକ୍ରମ ( ସୀମାନ୍ତରିତ ଲୋକଙ୍କ ଜୀବିକା ଓ ଉଦ୍ୟମିତା ପାଇଁ ସହାୟତା ) ଏବଂ ଜାତୀୟ ପୋର୍ଟାଲ ଉପରେ ଆଲୋକପାତ କରିଥିଲେ । ସାରା ଦିନ ଧରି କିନ୍ନର କଲ୍ୟାଣ ଓ ସଂପର୍କିତ କ୍ଷେତ୍ରଗୁଡ଼ିକ ଉପରେ ଦଳଗତ ଆଲୋଚନା ହୋଇଥିଲା । ନିତି ଆୟୋଗର ସହକାରୀ ପରାମର୍ଶଦାତା ଡ . ମୁନିରାକୁ ଏସ୍ . ବି , ଦଳଗତ ଆଲୋଚନାଗୁଡ଼ିକର ନେତୃତ୍ଵ ନେଇଥିଲେ । ବିଶେଷ କରି ସ୍ୱାସ୍ଥ୍ୟ , ଶିକ୍ଷା , ସମାଜ କଲ୍ୟାଣ , ସାମାଜିକ ସୁରକ୍ଷା , ଆବାସ , ଜୀବନଜୀବିକା , ସମତା ଓ ନ୍ୟାୟ ପ୍ରସଙ୍ଗ ନେଇ ମତବିନିମୟ ହୋଇଥୁଲା । ଜାତିସଂଘ କାର୍ଯ୍ୟକ୍ରମର ରୂପାୟନ ସହଯୋଗୀ ସଂଗଠନ ହମ୍ସଫର ଟ୍ରଷ୍ଟର କର୍ମକର୍ତ୍ତାମାନେ ମଧ୍ୟ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।