ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜି ପୁରୀରେ ବସିଥିଲା ସମନ୍ବୟ ବୈଠକ। ତେବେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା। ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏନେଇ ସବୁଜ ସଙ୍କେତ। ଦୁଇବର୍ଷ ହେବ କରୋନ ପାଇଁ ଘୋଷଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କୁ ଅନୁମତି ଦିଆଯାଇ ନଥିଲା। କିନ୍ତୁ ଚଳିତ ବର୍ଷ ରଥ ଟାଣିବା ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ଯଦି ରାଜ୍ୟରେ କୋଭିଡ ସ୍ଥିତି ବଢେ ତେବେ ବିନା ଭକ୍ତରେ ରଥଯାତ୍ରା ହେବ । ଏହା ସହ ଯଦି ରାଜ୍ୟରେ କୋଭିଡ ସ୍ଥିତି ଭଲ ରହିଲା ତେବେ ରଥଯାତ୍ରାରେ ଭକ୍ତ ମାନେ ସାମିଲ ହେବେ। ତେବେ ଏହାକୁ ଏନେଇ ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେପଟେ ଭକ୍ତମୟ ପରିବେଶରେ ରଥଯାତ୍ରା କରିବାକୁ ସେବାୟତଙ୍କ ଦାବି କରିଛନ୍ତି । କରୋନା ପାଇଁ କେବଳ ସେବାୟତ ମାନେ ତିନି ଠାକୁରଙ୍କର ରଥ ଟାଣୁଥିଲେ। ଏବଂ କାହାରିକୁ ରଥଯାତ୍ରାରେ ପୁରୀ ଯିବା ତ ଦୂରକଥା ବାଲକୋନିରେ ଛିଡା ହୋଇ ମଧ୍ୟ ଦର୍ଶନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ଭକ୍ତମାନେ ଟିଭି ମାଧ୍ୟମରେ ଘୋଷଯାତ୍ରା ଦେଖିପାରୁଥିଲେ। କିନ୍ତୁ ଚଳିତବର୍ଷ ଶ୍ରଦ୍ଧାଳୁ ମାନଙ୍କ ଏହି ଅବସର ମିଳିଛି। ତେଣୁ ଯାହା ଆଶା କରାଯାଉଛି ଚଳିତବର୍ଷ ପୁରୀକୁ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିବ। ତେବେ ଏନେଇ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।