ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମଇ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ରୂପେ ଭୁବନେଶ୍ଵରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ସମାରୋହକୁ ମାନ୍ୟବର ମନ୍ତ୍ରୀ , ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଗ୍ରାମ୍ୟ ଉନ୍ନୟନ , ଓଡ଼ିଶା ଶ୍ରୀ ସୁଶାନ୍ତ ସିଂଙ୍କ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ନିରନ୍ତର ଭାବେ କାର୍ଯ୍ୟ କରୁଅଛି । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ଅଦ୍ୟାବଧୂ ୩୫ ଲକ୍ଷରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ଏହି ବୋର୍ଡ଼ ଅଧିନରେ ପଞ୍ଜିକୃତ କରାଯାଇ ମୋଟ ୨୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଅଛି । ପଞ୍ଜିକୃତ ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାରଙ୍କୁ ଶିକ୍ଷାବୃତି , ବିବାହ , ପ୍ରସୂତି , ମୃତ୍ୟୁ , ଅତ୍ୟେଷ୍ଟିକ୍ରିୟା ସକାଶେ ଆର୍ଥିକ ସହାୟତା ପ୍ରଦାନ କରାଯାଉଅଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଏହି କଲ୍ୟାଣ ବୋର୍ଡ଼ ମାଧ୍ୟମରେ ‘ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ’ , ‘ ନିର୍ମାଣ ଶ୍ରମିକ ପେନସନ୍ ଯୋଜନା ’ , ସରକାରୀ ଆଇ.ଟି.ଆଇ ଓ ଡିପ୍ଲୋମା ଅନୁଷ୍ଠାନରେ ଶିକ୍ଷା ନିମନ୍ତେ ‘ ନିର୍ମାଣ କୁସୁମ ଯୋଜନା ’ କାର୍ଯ୍ୟକାରୀ କରାଯାଉଅଛି । ସେହିପରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ‘ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ’ ଗଠନ କରାଯାଇଥିବା ସ୍ଥଳେ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ‘ ଓଡ଼ିଶା ଶ୍ରମ କଲ୍ୟାଣ ବୋର୍ଡ଼ ’ ଗଠନ କରାଯାଇ ବିଭିନ୍ନ ପ୍ରକାର କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଅଛି ।
ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବା ସହ ରାଜ୍ୟର ୪ଗୋଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ଯଥା ବଲାଙ୍ଗୀର , ବରଗଡ଼ , କଳାହାଣ୍ଡି ଓ ନୂଆପଡ଼ାର ୪୭୭ଗୋଟି ପଂଚାୟତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ପ୍ୟାକେଜ୍ କାର୍ଯ୍ୟକାରୀ ହେଉଅଛି । ରାଜ୍ୟ ସରକାରଙ୍କ ୫ଟି ଉପକ୍ରମ ଅଧୀନରେ PAReSHRAM portal କାର୍ଯ୍ୟକାରୀ କରାଯାଇ ୫୨ଗୋଟି ବିଭିନ୍ନ ସେବା ଅନ୍ଲାଇନ୍ ମାଧ୍ୟମରେ ଯୋଗାଇ ଦିଆଯାଉଅଛି , ଯାହା ରାଜ୍ୟରେ ବ୍ୟବସାୟ ସରଳୀକରଣ ଦିଗରେ ସହାୟକ ହେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ୱଚ୍ଛତାର ସହ ସେବା ଯୋଗାଇ ପାରିଛି । ଅଦ୍ୟାବଧୂ , ଏହି ପୋର୍ଟାଲ ମାଧ୍ୟମରେ ୧୬ ହଜାରରୁ ଊର୍ଦ୍ଧ୍ବ ସେବା ପ୍ରଦାନ କରାଯାଇଅଛି । ଆଜିର ଏହି ସମାରୋହରେ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍ଲାଇନ୍ ପୋର୍ଟାଲକୁ ଲୋକାର୍ପଣ କରି କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ଵାରା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ , ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଶ୍ରମିକ ଭାଇଭଉଣୀମାନେ ଘରେ ବସି ମଧ୍ୟ ଉପରୋକ୍ତ ସେବା ପାଇପାରିବେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଏବଂ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ଦୁଇଗୋଟି ୱେବ୍ସାଇଟ୍କୁ ମଧ୍ୟ ଲୋକାର୍ପଣ କରିଥିଲେ । ତତ୍ସହିତ ‘ ଶ୍ରମ କଲ୍ୟାଣ ’ ନାମକ ଏକ ବୁଲେଟିନ୍ ମଧ୍ୟ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ଶ୍ରମିକ ଭାଇଭଉଣୀମାନଙ୍କୁ ର୍ନିମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ତରଫରୁ ମୁଖ୍ୟଅତିଥି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଉପସ୍ଥିତ ଶ୍ରମିକମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଶ୍ରମିକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ବହୁବିଧ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଆମ ରାଜ୍ୟ ଭାରତବର୍ଷରେ ଆଜି ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି ।
ଏହି ସମାରୋହରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇ କହିଥିଲେ ଯେ ରାଜ୍ୟ ସରକାର ଶ୍ରମିକମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ ଅଙ୍ଗୀକାରବଦ୍ଧ ଓ ସର୍ବଦା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖୁଛନ୍ତି । ଶ୍ରମିକ ଭାଇଭଉଣୀମାନଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ ଅହରହ କାର୍ଯ୍ୟକରୁଥିବା ପ୍ରମୁଖ ଶ୍ରମିକ ସଂଗଠନର ୪ଜଣ ଶ୍ରମିକ ନେତାଙ୍କୁ ଏହି କାର୍ଯ୍ୟକ୍ରମରେ ‘ ବିଜୁ ଶ୍ରମିକ ବନ୍ଧୁ ସମ୍ମାନ ୨୦୨୨’ରେ ସମ୍ମାନିତ କରାଯିବା ସହିତ ଉପଢୌକନ , ମାନପତ୍ର ଏବଂ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଥିଲା । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ , ଆଇ.ଏ.ଏସ୍ ସ୍ଵାଗତ ଭାଷଣ ଦେଇଥିଲାବେଳେ ଶ୍ରମ ଆୟୁକ୍ତ ଡ . ଏନ୍ . ଥରୁମାଲା ନାଏକ , ଆଇ.ଏ.ଏସ୍ . ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ବରିଷ୍ଠ ପଦାଧିକାରୀ , ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ଏବଂ ବହୁ ଶ୍ରମିକ ଭାଇଭଉଣୀମାନେ ଯୋଗ ଦେଇଥିଲେ ।