ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ମେ ‘ ୨ ତାରିଖରୁ ଖୋଲିବ ବିଦ୍ୟାଳୟ। ଏଣିକି ସକାଳ ୬ଟାରୁ ଖୋଲିବ ସମସ୍ତ ବିଦ୍ୟାଳୟ । ଏଥି ପାଇଁ ପିଲାମାନଙ୍କୁ ଟିକିଏ ପରିଶ୍ରମ କରିବାକୁ ପଡିବ। କାରଣ ସକାଳ ୬ ରୁ ୯ଟା ପର୍ଯ୍ୟନ୍ତ ଶ୍ରେଣୀ ଗୃହରେ ପାଠପଢ଼ା ହେବ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଖରା ତାତିକୁ ଦେଖି ପୂର୍ବରୁ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିଲା । ବିଦ୍ୟାଳୟର ପରିବର୍ତ୍ତିତ ସମୟ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ବିଧ୍ବବଦ୍ଧ ଭାବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବୋର୍ଡ ଏବଂ ପରିଷଦ ପକ୍ଷରୁ ଚାଲିଥିବା ପରୀକ୍ଷା ସୂଚୀକୁ ଅପରିବର୍ତିତ ରଖାଯାଇଛି । ଏହାସହିତ ଓସେପା ପକ୍ଷରୁ ପ୍ରସ୍ତୁତ ଲଡିଂ ରିକଭରି ପ୍ଲାନ୍ ( ଏଲ୍ଆର୍ପି ) କୁ ଗ୍ରୀଷ୍ମ ଛୁଟି ମଧ୍ୟରେ କରାଯିବ । ଏହା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ । ଯେଉଁ ଛାତ୍ରଛାତ୍ରୀମାନେ ତୃତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉନ୍ନୀତ ହୋଇଛନ୍ତି , ସେମାନେ ଏହି ଯୋଜନା ଭିତରେ ଯିବେ । ସେହିଭଳି ନୂଆ କରି ନାମଲେଖାଇଥିବା ଛାତ୍ରଛାତ୍ରୀ ବି ଏଥିରୁ ଉପକୃତ ହେବେ । ଯେଉଁ ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀକୁ ଉନ୍ନୀତ ହୋଇଥିବେ , ସେମାନେ ବି ଏଲଆର୍ପି ବ୍ୟବସ୍ଥାରେ ଉପକୃତ ହୋଇପାରିବେ । କରୋନା ଯୋଗୁ ୨ ବର୍ଷ ଧରି ସ୍କୁଲ୍ ଗୁଡ଼ିକ ବନ୍ଦ ରହିଥିବାରୁ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା । ଏଥିରୁ ପିଲାମାନେ ଯେଉଁ କ୍ଷତି ସହିଛନ୍ତି ତାକୁ ପୂରଣ କରିବାକୁ ଓସେପା ପକ୍ଷରୁ ଏନ୍ଆର୍ପି ପ୍ରସ୍ତୁତ କରାଯାଇଛି । ତେଣୁ ରାଜ୍ୟ ସରକାର ପିଲା ମାନଙ୍କର ଶିକ୍ଷା କ୍ଷତିକୁ ପୂରଣ କରିବା ପାଇଁ ଏହି ନିଷ୍ପତି ନେଇଛନ୍ତି ଯାହା ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ବେଶ ସହାୟକ ହୋଇ ପାରିବ।