ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ନିଜ ନିଜ ସହର କୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନେଇ ନିଷ୍ଠାର ସହ କାମ କର। ଲୋକଙ୍କ ସାଥିରେ ରୁହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କର। ଆଜି ଲୋକସେବା ଭବନରେ ନବନିର୍ବାଚିତ ମେୟର ଓ ପୌରାଧକ୍ଷ ମାନଙ୍କ ପାଇଁ ଆୟୋଜିତ ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି ଶୀର୍ଷକ କର୍ମଶାଳା କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପରାମର୍ଶ ଦେଇଛନ୍ତି।
ସହରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାଗା ମିଶନ ବିକାଶମୁଖି ଦେଶ ମାନଙ୍କ ପାଇଁ ଏକ ମଡେଲ ହୋଇଛି। ସେହିପରି ଟ୍ୟାପ ରୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ସୁଜଳ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡିଶା ସାରା ଦେଶରେ ଏକ ମାତ୍ର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜାଗା ମିଶନ, ସୁଜଳ,ପରିମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ମୁକ୍ତା ଯୋଜନା,ଆହାର ଏବଂ ସ୍ମାର୍ଟ LEDLight ଆଦି ସରକାରଙ୍କflagship ପ୍ରୋଗ୍ରାମ ଉପରେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଫୋକସ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବସ୍ତି ବିକାଶ ସମୟରେ ରାଜ୍ୟ ସରକାର ଜମି ଅପେକ୍ଷା ଲୋକଙ୍କୁ ଅଧିକ ଗୁରୁତ୍ୱ ଦେଇ ଜାଗା ମିଶନ ଆରମ୍ଭ କରିଛନ୍ତି।ଏ ପର୍ଯ୍ୟନ୍ତ ଏକ ଲକ୍ଷ ପଚସ୍ତରୀ ହଜ଼ାର ପରିବାରକୁ ଭୂମି ଅଧିକାର ଦିଆଯାଇଥିବାବେଳ ୫୮୫ ବସ୍ତିକୁ ଆଦର୍ଶ ବସ୍ତି ରେ ପରିଣତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ସେହିପରି ସୁଜଳ କାର୍ଯ୍ୟକ୍ରମରେ ପୁରୀରେ ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ବେଳ ରାଜ୍ୟର କୋଡିଏ ଟି ସହରରେ ଏଥିପାଇଁ କାମଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ସେହିପରି କୋଭିଡ ସମୟରେ ସହରର ଗରିବ ଲୋକ ଓ ମାଇଗ୍ରାଣ୍ଟ ଲେବର ମାନଙ୍କ ପାଇଁ ଆରମ୍ଭ ହୋଇଥିବା ମୁକ୍ତା ଯୋଜନା ଜାରି ରହିବ ଓ ଏଥିପାଇଁ ବଜେଟରେ ୫୦୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମିଶନ ଶକ୍ତି ଓ ସ୍ଲମ ଡେଭଲ୍ପମେଣ୍ଟ ଆସୋସିଏସନ ଜରିଆରେ ଚାଲିଥିବା ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପରିମଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇ ସ୍ୱଚ୍ଛତା ଓ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇ କାମକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଚଳିତ ପୌର ନିର୍ବାଚନ ରେ ମା ମାନେ ବହୁ ସଂଖ୍ୟାରେ ଭାଗ ନେଇ ବିଜୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ସେମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ ଓ ଭଲ କାମକରି ଲୋକଙ୍କ ଆସ୍ଥା ଜାରି ରଖିବାକୁ ପରାମର୍ଶ ଦେଇଥିଲେ।ସହରାଞ୍ଚଳ ବିକାଶରେ ଆସିଥିବା ରୂପାନ୍ତର ରେ ୫ଟି ପ୍ରିନ୍ସିପିଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ପ୍ରତ୍ୟେକ ସ୍ତରରେ ୫ଟି ପ୍ରିନ୍ସିପିଲରକୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ନୂଆ ନେତୃତ୍ୱ ଓ ନୂଆ ପରିଚାଳନା କୌଶଳ ପୌର ସେବାକୁ ନୂତନ ଶିଖରରେ ପହଞ୍ଚାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।କର୍ମଶାଳାରେ ଉଦବୋଧନ ଦେଇ ନଗର ଉନ୍ନୟନ ପଞ୍ଚାୟତି ରାଜ ଓ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରି କରିବା ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର , ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି ମାଥି ଭାତ ନାନ ଓ ପୌର ନିର୍ଦେଶକ ଶ୍ରୀ ସଂଗ୍ରାମଜୀତ ନାୟକ ପ୍ରମୁଖ ଯୋଗ ଦେଇଥିଲେ।