ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ୧୩ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ୪୩.୨ ଡିଗ୍ରୀ ସହ ସୋନପୁର ପୁଣି ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଦ୍ଵିତୀୟ ଉତ୍ତପ୍ତ ସହର ଭାବେ ଅନୁଗୋଳରେ ସର୍ବାଧିକ ତାପମାତ୍ରା ୪୩.୧ ଡିଗ୍ରୀ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି , କୋରାପୁଟ , ନବରଙ୍ଗପୁର , ରାୟଗଡା , କନ୍ଧମାଳ , ଗଜପତି , ଗଞ୍ଜାମ , ମୟୂରଭଞ୍ଜ , କେନ୍ଦୁଝର , ବାଲେଶ୍ଵର , ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାହୋଇଥିଲା। ଏହାବାଦ ଆଗକୁ ୨୪ ଘଣ୍ଟାମଧ୍ୟରେ ବର୍ଷା ହୋଇପାରେ। ଆଗାମୀ କିଛି ଦିନ ଭୁବନେଶ୍ବରରେ ୩୯ ଡିଗ୍ରୀରୁ ୪୦ ଡିଗ୍ରୀରେ ରହିବ ବୋଲି ଅନୁମାନ କରାଯାଉଛି। ଏହାସହ ମାଲକାନଗିରି , କୋରାପୁଟ , ନବରଙ୍ଗପୁର , ରାୟଗଡା , ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ଝଡବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହାସହ ଉପରୋକ୍ତ ଜିଲ୍ଲା ଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ବିଭାଗର ଆକଳନ କହୁଛି , ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କିଛି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ଵାଭାବିକରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ ।