ସନଷ୍ଟାର ଟିଭି ବ୍ୟୁରୋ
ଯୋଡା: ଯୋଡାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା। କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଏଥିରେ ହିନ୍ଦୁ ଓ ମୁସଲମାନ ପରସ୍ପର ମୁହାଁ ମୁହିଁ ହୋଇଛନ୍ତି । ସୂଚନା ଅନୁଯାୟୀ, ରାମନବମୀ ଦିନ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା । ତେବେ ୪ନଂ ୱାର୍ଡରେ ଥିବା ଏକ ଶିବ ମନ୍ଦିରକୁ ଝଣ୍ଡା ନେଇ ଯିବାକୁ ଚାହିଁଥିଲେ ହିନ୍ଦୁ ସମ୍ପ୍ରଦାୟର ଲୋକେ । ରାତି ଅଧିକ ହେଇଥିବାରୁ ଝାଣ୍ଡା ଗୁଡ଼ିକୁ ଷ୍ଟେଟ ବ୍ୟାଙ୍କ ପାଖ ହନୁମାନ ମନ୍ଦିର ରେ ରଖାଯାଇଥିଲା। ତାପରଦିନ ସକାଳେ ମାତ୍ର ୫ଜଣ ବ୍ୟକ୍ତି ଝଣ୍ଡା ନେଇଯିବେ ବୋଲି ପୋଲିସ୍ କହିଥିଲେ। ଏହାପରେ ୪ ନମ୍ୱର୍ ୱାର୍ଡ ରେ ଥିବା ଲଘୁ ସମ୍ପ୍ରଦାୟର ଗୋଷ୍ଠୀ ଝଣ୍ଡା ନେବାକୁ ବାଟ ଛାଡ଼ି ନ ଥିଲେ। ଯାହା ଫଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ହିନ୍ଦୁ ସମ୍ପ୍ରଦାୟର ଲୋକେ ଷ୍ଟେଟ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସିଥିଲେ। ଏବଂ କିଛି ସମୟ ପରେ ଝଣ୍ଡା ନେଇ ମନ୍ଦିର ଉଦ୍ଦେଶ୍ୟରେ ଯାଉଥିବା ବେଳେ ବଜାର ଗଳିରେ ଥିବା ମୁସଲିମ କମ୍ୟୁନିଟିର କିଛି ଲୋକ ଏହାକୁ ବିରୋଧ କରିଥିଲେ। ଯାହା ଫଳରେ ଉତ୍ତେଜନା ଅଣାୟତ ହୋଇଥିଲା । ପୋଲିସ୍ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେବି ଉତ୍ତେଜନା ଥମିବା ବଦଳରେ ବଢିବାକୁ ଲାଗିଲା । ଉଭୟ ପକ୍ଷରୁ ଭଙ୍ଗାରୁଜ୍ଜା ଓ ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ଼ ହୋଇ ବଜାର ସାରା ଏକ ଭୟଙ୍କର ପରିସ୍ଥିତି ଉପୁଜିଥିଲା। ବଜାର ଭିତରେ ବସବାସ କରୁଥିବା ଲୋକ ମାନଙ୍କ ଘର ଗୁଡ଼ିକୁ ମଧ୍ୟ ପଥର ମାଡ଼ ହେବାଦ୍ବାରା କାହାର ଘର ଝରକା, କବାଟ, କାହାର ଦୁଇ ଚକିଆ ଯାନ ଗୁଡ଼ିକ ମଧ୍ୟ ଭଙ୍ଗାରୁଜା ରୁ ବର୍ତ୍ତି ପାରି ନ ଥିଲେ ।ଏହି ଦୁର୍ଘଟଣାରେ ଛୋଟ ଛୁଆ ଓ ମହିଳା ମାନେ ଭୟ ରେ ଘର ଗୁଡିକର କବାଟ ଝରକା ବନ୍ଦ କରି ଦେଇଥିଲେ। ଉତ୍ତେଜନା ଏତେ ମାତ୍ରାରେ ବଢି ଯାଇଥିଲା ଯେ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଫାଙ୍କାରେ ଗୁଳି ଚାଳନା କରିବାକୁ ପଡିଥିଲା। ଏହି ପଥର ଫିଙ୍ଗାରେ ରେ କିଛି ପୋଲିସ କର୍ମୀ, କିଛି ସାମ୍ବାଦିକ ଓ କିଛି ଜନସାଧାରଣ ଆହତ ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଚମ୍ପୁଆ ସବ କଲେକ୍ଟର ପ୍ରତାପ ପ୍ରୀତିମୟ, କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ବଡ଼ବିଲ ଏସଡିପିଓ ହିମାଂଶୁ ଶେଖର ବେହେରା, ଯୋଡ଼ା ଥାନା ଅଧିକାରୀ,ବାମେବାରି ଥାନା ଅଧିକାରୀ, ବଡ଼ବିଲ ତହସିଲଦାର, ଯୋଡ଼ା ବିଡ଼ିଓ, ସମେତ ପୋଲିସ୍ ଫୋର୍ସ ମୁତୟନ ରହିଛନ୍ତି । ପୋଲିସ୍ ପ୍ରଶାସନ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଏବଂ ଚମ୍ପୁଆ ଉପ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଙ୍କ ଅଧ୍ୟକ୍ଷତା ରେ ଦୁଇ ଗୋଷ୍ଠୀର ପୁରୁଣା ପୁରୁଖା ଲୋକଙ୍କୁ ଏକାଠି ବସାଇ ଏକ ଆଲୋଚନା କରାଯାଇ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ଦ୍ଵନ୍ଦ କୁ ଶେଷ କରିବାକୁ ଚେଷ୍ଟା ଚଳାଇଛନ୍ତି। ତେବେ ଏହି ଦଙ୍ଖା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯିବା ସହ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି।