ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଗକୁ ହେବାକୁ ଥିବା +୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଏନେଇ ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପ୍ରକାଶିତ ଏହି ବିଜ୍ଞପ୍ତି ରେ ସୂଚନା ଦିଆଯାଇଛି ଯେ + ୨ ଥିଓରୀ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ମେ ‘ ୧୯ରେ ହେବାକୁ ଥିବା ୩ଟି ବିଷୟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । କଳା ଓ ବିଜ୍ଞାନ ବିଭାଗର ଗଣିତ , କଳା ବିଭାଗର ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି ବିଷୟର ପରୀକ୍ଷା ମେ ‘ ୩୧ରେ ଅନୁଷ୍ଠିତ ହେବ । ପୂର୍ବାହ୍ନ ୯ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ସବୁ ପରୀକ୍ଷା ହେବ । ଏହାକୁ ବାଦ ଦେଲେ ଅନ୍ୟ ବିଷୟଗୁଡ଼ିକର ପରୀକ୍ଷାସୂଚୀ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ + ୨ ପରୀକ୍ଷାରେ କପି ରୋକିବା ପାଇଁ ସ୍କାଡ୍ ଗଠନ ପ୍ରକ୍ରିୟା ଚାଲିଛି। ଶିକ୍ଷାନୁଷ୍ଠାନ ପରିଷଦକୁ ଅଧ୍ୟାପକଙ୍କ ତାଲିକା ଦେଇଥିବାବେଳେ ପରିଷଦ ପକ୍ଷରୁ ସ୍କାଡ୍ ଗଠନ ଚାଲିଛି । ଅନ୍ୟପକ୍ଷରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ( ଚିତ୍ର ଉତ୍ତୋଳନାକାରୀ ଯନ୍ତ୍ର ) ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨ଟି ପରୀକ୍ଷା ପରିଚାଳନା ହବ୍କୁ ଉତ୍ତରଖାତା ପଠାଇବା ଆରମ୍ଭ ହୋଇଛି ।