ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭୁବନେଶ୍ଵର ମହାନଗର ନିଗମ ( ବିଏମ୍ସି ) ମେୟର ଓ କର୍ପୋରେଟରମାନେ ଆଜି ଶପଥ ନେବାକୁ ଯାଉଛନ୍ତି । ବିଏମ୍ସି କାର୍ଯ୍ୟାଳୟରେ ପ୍ରଥମେ ମେୟର ଶପଥ ନେବେ । ପରବର୍ତ୍ତୀ ସମୟରେ ନବ ନିର୍ବାଚିତ କର୍ପୋରେଟରଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। କର୍ପୋରେଟରଙ୍କ ଶପଥପାଠ ପରେ ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ । ଡେପୁଟି ମେୟର ପଦ ବିଜେଡି ହାତକୁ ଯିବା ଏକପ୍ରକାର ନିଶ୍ଚିତ ଥିଲେ ମଧ୍ୟ ଦଳ ପକ୍ଷରୁ ହୁଇପ୍ ଜାରି କରାଯାଇଛି । କିଏ ଏହି ପଦ ହାତେଇବ ତା’କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ବିଜେଡିରେ ଆଶାୟୀଙ୍କ ତାଲିକା ବଢ଼ି ଚାଲିଥିବାବେଳେ କାହା ଉପରେ ଦଳର ସଭାପତି ଆସ୍ଥା ପ୍ରକଟ କରିବେ ତା ‘ ଉପର ସମସ୍ତଙ୍କ ନଜର ରହିଛି । ଅନ୍ୟପକ୍ଷରେ ବିଜେଡିର ସବୁ କର୍ପୋରେଟର ବିଏମ୍ସି କାର୍ଯ୍ୟାଳୟରେ ପହଞ୍ଚି ଦଳର ଡେପୁଟି ମେୟର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁନିର୍ଦେଶ ଦିଆଯାଇଛି । ଦିନ ୧୦ଟା ସୁଦ୍ଧା ବିଏମ୍ସି କାର୍ଯ୍ୟାଳୟରେ ପହଞ୍ଚିବାକୁ ଦଳ ପକ୍ଷରୁ କୁହାଯାଇଛି । ଡେପୁଟି ମେୟର ପଦ ଅକ୍ତିଆର କରିବାକୁ ବିଜେଡିକୁ ୩୪ କର୍ପୋରେଟରଙ୍କ ସମର୍ଥନ ଆବଶ୍ୟକ ରହିଛି । ବିଜେଡି ପାଖରେ ଏବେ ୫୧ କର୍ପୋରେଟର ଅଛନ୍ତି । ଚଳିତ ନିର୍ବାଚନରେ ୬୭ ୱାର୍ଡ ମଧ୍ୟରୁ ୪୮ ୱାର୍ଡରେ ବିଜେଡି ବିଜୟୀ ହୋଇଥିବାବେଳେ ୧୦ରେ ବିଜେପି ଓ ୯ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ଜିତିଥିଲେ । ସ୍ଵାଧୀନ କର୍ପୋରେଟରଙ୍କ ମଧ୍ୟରୁ ୩ଜଣ ବିଜେଡିରେ ମିଶିଥିବାରୁ ଏବେ ବିଜେଡି କର୍ପୋରେଟରଙ୍କ ସଂଖ୍ୟା ୫୧ରେ ପହଞ୍ଚିଛି । ଭୁବନେଶ୍ବରରେ ଜଣେ ମହିଳା ମେୟର ହୋଇଥିବାରୁ ଡେପୁଟି ମେୟର ପଦରେ ପୁରୁଷଙ୍କୁ ବସାଇବା ଏକପ୍ରକାର ନିଶ୍ଚିତ । ଅନ୍ୟପକ୍ଷରେ ଡେପୁଟି ମେୟର ପଦ ଯେଉଁ ଆଶାୟୀ ପ୍ରାର୍ଥୀଙ୍କୁ ନ ମିଳିବ ସେମାନଙ୍କୁ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ଥଇଥାନ କରିବାକୁ ଦଳ ପକ୍ଷରୁ ଯୋଜନା କରାଯାଇଛି ।