ସନଷ୍ଟାର ଟିଭି ବ୍ୟୁରୋ

ଉଦଳା: ଜଙ୍ଗଲରୁ ମିଳିଲା ମୃତଦେହ। ଜଣେ ଅଜଣା ଯୁବତୀଙ୍କ ମୃତଦେହକୁ ଜଙ୍ଗଲରୁ ଠାବ କରାଯାଇଛି । ତେବେ ଏହି ମୃତ ଦେହ ଉଦଳା ଥାନା ମଧୁପୁର ଜଙ୍ଗଲରୁ ମିଳିଛି। ମଧୁପୁର ଜଙ୍ଗଲ ଭିତରେ ଏକ ଛୋଟ ଲତା ଗଛରେ ଯୁବତୀ ଜଣକ ବେକରେ ଓଢଣୀ ଲଗାଇ ଝୁଲନ୍ତା ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏ ନେଇ ପୋଲିସ୍କୁ ଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ତେବେ ଯୁବତୀ ଜଣକର ପରିଚୟ ଏଯାଏଁ ମିଳି ପାରି ନ ଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସବୁଠାରୁ ବଡ କଥା ହେଲା ଯୁବତୀ ଜଣକର ମୃତଦେହ ଏପରି ଅବସ୍ଥାରେ ଝୁଲିଛି ଯେ ସେ ମାଟିରେ ବସି ରହି ବେକରେ ଓଢଣୀ ଲଗାଇଥିବା ଦେଖାଯାଇଛି । ଯାହାକୁ ନେଇ ଏହା ହତ୍ୟା ବୋଲି ମଧ୍ୟ ସନ୍ଦେହ କରାଯାଉଛି । ତେବେ ପୋଲିସ୍ ତଦନ୍ତ ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।( ରିର୍ପୋଟ: ଆଲୋକ କୁମାର ବେହେରା)