ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥାଗୁଡ଼ିକ ପେଟ୍ରୋଲ , ଡିଜେଲ ଦର କ୍ରମାଗତଭାବେ ବୃଦ୍ଧି ଜାରି ରଖିଛି। ଯାହାଫଳରେ ଲୋକମାନେ ଏହି ମହଙ୍ଗା ମାଡ଼ର ଶୀକାର ହେଉଛନ୍ତି। ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ୧୫ ଦିନରେ ଏହା ୧୩ ଥର ବୃଦ୍ଧି ହେଲାଣି। ପେଟ୍ରୋଲ ଆଉ ଡିଜେଲ ବୃଦ୍ଧି ପାଇଁ ବସ ଭଡା ମଧ୍ୟ ବୃଦ୍ଧି ପାଉଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଛି । ଏହାଦ୍ଵାରା ପେଟ୍ରୋଲ ଲିଟର ୧୧୧ଟଙ୍କା ୬୪ପଇସା ଏବଂ ଡିଜେଲ ଲିଟର ପିଛା ୧୦୧ଟଙ୍କା ୩୯ ପଇସାକୁ ବୃଦ୍ଧି ପାଇଛି । ଆଜି ସକାଳୁ ହିଁ ଏହି ନୂଆଦର ଲାଗୁ ହୋଇଯାଇଛି।
ସୋମବାର ପେଟ୍ରୋଲ ଦର ୧୧୦ ଟଙ୍କା ୭୯ ପଇସା ଥିବାବେଳେ ଡିଜେଲ ୧୦୦ଟଙ୍କା ୫୪ ପଇସା ରହିଥିଲା। କିନ୍ତୁ ପୁଣି ଆଜି ଠାରୁ ବଢ଼ିଛି ତୈଳଦର। ରାଜ୍ୟରେ ମାଲକାନଗିରିରେ ତୈଳଦର ସର୍ବାଧିକ ରହିଛି। ମାଲକାନଗିରିରେ ପେଟ୍ରୋଲ ୧୧୭ଟଙ୍କା ୧୯ ପଇସା ରହିଥିବା ବେଳେ , ଡିଜେଲ ୧୦୬ଟଙ୍କା ୭୫ ପଇସା ରେ ପହଞ୍ଚିଛି। ଲଗାତର ଦର ବୃଦ୍ଧି ପାଉଥିବାରୁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଚିନ୍ତାରେ ପଡ଼ିଛନ୍ତି ।