ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଗାମୀ ଓଡ଼ିଶା ଦିବସକୁ ସାରା ରାଜ୍ୟରେ ଆକର୍ଷଣୀୟ ଭାବେ ପାଳନ ନିମନ୍ତେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଏହି ଦିନ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସାଧାରଣ ସଭା ତଥା ମୁଖ୍ୟ ଉତ୍ସବ ୟୁନିଟ୍ – ୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ଭିଡିଓ କଲ ମାଧ୍ୟମରେ ଯୋଡି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସଭାକୁ ମଧ୍ୟ ଉଦ୍ଘାଟନ କରିବେ । ତେବେ ଏହି କାର୍ଯ୍ୟକ୍ରମକୁ ବାଚସ୍ପତି ଡ . ସୂର୍ଯ୍ୟନାରାୟଣ ପାତ୍ର ସଭାପତିତ୍ୱ କରିବେ । ଏଡଇ କାର୍ଯ୍ୟକ୍ରମରେ ଚିକିତ୍ସା ସେବା କ୍ଷେତ୍ରରେ ୧୦ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ବଦ୍ଧିତ କରାଯିବ । ସନ୍ଧ୍ୟାରେ ସାଧାରଣ ସଭା ପରେ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କଣ୍ଠଶିଳ୍ପୀଙ୍କ ଦ୍ବାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବ । ଶେଷରେ ଓଡ଼ିଶୀ ନୃତ୍ୟ ଓ ସମ୍ବଲପୁରୀ ଲୋକନୃତ୍ୟ ପରିବେଷିତ ହେବ । ଏହି ଅବସରରେ ପ୍ରଦର୍ଶନୀ ପଡ଼ିଆରେ ପୂର୍ବାହ୍ନରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ବାଲୁକା ସ୍ଥପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପ୍ରଦର୍ଶିତ ବାଲୁକା କଳାକୃତିକୁ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍ଘାଟନ କରିବେ । ସେହିପରି ଜିଲାସ୍ତରୀୟ ଓଡ଼ିଶା ଦିବସରେ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିମାନେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । କଲକାତାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଦିବସ ଉତ୍ସବରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଓ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ପ୍ରମୁଖ ଆବାସିକ ଆୟୁକ୍ତ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।