ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ୨୦୨୨-୨୩ ନିମନ୍ତେ କାମଚଳା ବଜେଟ୍ ବିଧାନସଭା ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହା ଜନକଲ୍ୟାଣକାରୀ ବଜେଟ୍ ରେ ଅଭିବୃଦ୍ଧି , ବିକାଶ , ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ବ ଆରୋପ କରାଯାଇଅଛି । ଏହି ବଜେଟ୍ ବିଗତ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭.୬ ପ୍ରତିଶତ ଅଧିକ ଅଟେ । ଏକ ପୁର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପରିବର୍ତ୍ତେ ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ଏକ କାମଚଳା ବଜେଟ୍ ପ୍ରସ୍ତାବ ରଖିଛନ୍ତି । ଏହାଦ୍ବାରା ପ୍ରଚଳିତ ପ୍ରତିଷ୍ଠାନ , ଯୋଜନା ଏବଂ ପ୍ରକଳ୍ପଗୁଡିକ ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ସମ୍ବଳ ଯୋଗାଇ ଦେବାରେ ସରକାର ସକ୍ଷମ ହେବେ ।
ସାମଗ୍ରିକ ଭାବେ ସ୍ଵାସ୍ଥ୍ୟକ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ୧୨ ହଜାର ୨ ଶହ ୪୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପାନୀୟ ଜଳ ଓ ସହରୀ ସୁବିଧାର ବ୍ୟବସ୍ଥା ମାଧ୍ୟମରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜଳ ଯୋଗାଣ ପାଇଁ ବସୁଧା ଯୋଜନା ଅଧୀନରେ ୨ ହଜାର ୨ ଶହ ୫୫ କୋଟି ଟଙ୍କା ବ୍ୟବସ୍ଥା , ସମସ୍ତଙ୍କୁ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ” ଜଳ ଜୀବନ ମିଶନ ” ଅଧିନରେ ୬ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଚାଷୀ ମାନଙ୍କର ସାମଗ୍ରିକ କଲ୍ୟାଣ ନିମନ୍ତେ କୃଷି ଓ ଆନୁସଙ୍ଗିକ କାର୍ଯ୍ୟକ୍ରମ ମାଧ୍ୟମରେ ଖାଦ୍ୟ ଉତ୍ପାଦନ , ଚାଷୀଙ୍କ ରୋଜଗାର ଓ କୃଷକ କଲ୍ୟାଣ ପାଇଁ ୨୦ ହଜାର ୩୪୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଅଛି ।ଚାଷୀ ମାନଙ୍କର ସାମଗ୍ରିକ କଲ୍ୟାଣ ନିମନ୍ତେ ” କାଳିଆ ” ଯୋଜନା ରେ ୧ ହଜାର ୮୭୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଅଛି ।
ଜଳସେଚନର ସଂପ୍ରସାରଣ ଜଳସେଚନ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ମୋଟ୍ ୮ ହଜାର ୫୨୩ କୋଟି ଟଙ୍କା ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ଗୃହନିର୍ମାଣ PMAY- ଗ୍ରାମୀଣ ଏବଂ ବିଜୁ ପକ୍କା ଘର ଯୋଜନା ଅଧିନରେ ପକ୍କା ବାସଗୃହ ବାବଦକୁ ୫,୯୦୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ସେହିପରି ଶ୍ରମ ନିଯୁକ୍ତି , ଜୀବିକା ଏବଂ ମୌଳିକ ସେବା ମନରେଗା ପାଇଁ ୨,୦୦୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।