ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପନିପରିବାରକୁ ଶୀତଳ ଭଣ୍ଡାରରେ ରଖିବାର ଅବଧି ହେଉଛି ୭ ରୁ ୧୪ ଦିନ। ରାଜ୍ୟରେ ମୋଟ ୧୨୩ ଟି ଶୀତଳ ଭଣ୍ଡାର ଥିବା ବେଳେ ସେଥି ମଧ୍ୟରୁ ୭୯ ଟି ଅଚଳ ଅବସ୍ଥାରେ ରହିଛି । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର୪ ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୪ ହଜାର ମେଟ୍ରିକ ଟନ ରହିଛି । ସମବାୟ ବିଭାଗ ଅଧୀନରେ ରହିଛି ୧୮ଟି ଶୀତଳ ଭଣ୍ଡାର । ଏଥିରୁ କେତେ ଅଚଳ ଓ କେତେ ସଚଳ ତାହାର ତଥ୍ୟ ମୋ ପାଖରେ ନାହିଁ ବୋଲି ଅରୁଣ ସାହୁ କହିଛନ୍ତି ।
ଏହା ସହ ସେ ଆହୁରି ମଧ୍ୟ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଶୀତଳ ଭଣ୍ଡାର ଗୁଡିକୁ ଶିଳ୍ପ ଭାବେ ଗଣା ଯାଉଛି ତାହାର ବିଦ୍ୟୁତ ଦର ୟୁନିଟ ପିଛା ୪ଟଙ୍କା ୩୦ ପଇସା ରହିଛି । ତେଣୁ ଶୀତଳ ଭଣ୍ଡାର ଗୁଡିକୁ କୃଷି ଭିତ୍ତିକ ଶିଳ୍ପ ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଓଇଆରସି କୁ ପ୍ରସ୍ତାଵ ଦେଇଛନ୍ତି । ଯାହା ଦ୍ୱାରା ବିଦ୍ୟୁତ ଜନିତ ଖର୍ଚ୍ଚ ହ୍ରାସ ପାଇବ। ବର୍ତ୍ତମାନ ରାଜ୍ୟ ସରକାର ପ୍ରତି ବର୍ଷ ଶୀତଳ ଭଣ୍ଡାର ରେ ଖର୍ଚ୍ଚ ହେଉଥିବା ବିଦ୍ୟୁତ ଦେୟ ଉପରେ ୫୦ ପ୍ରତିଶତ ରିହାତି ଦେଉଛନ୍ତି । ଏହା ସହ ଛତୁ ଓ ଲେମ୍ବୁ ଉତ୍ପାଦନ ରେ ଓଡିଶା ୧ ନମ୍ବର ରାଜ୍ୟ ହୋଇଛି ଓ ବାଇଗଣରେ ଦୁଇ ନମ୍ବରରେ ରହିଛି । ସେହିପରି ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡିଶା ଚର୍ତୁଥ ସ୍ଥାନରେ ରହିଛି । ବିଦେଶ କୁ ୭୦୦ ମେଟ୍ରିକ ଟନ ଚାଉଳ ପଠା ଯାଉଥିବା ବେଳେ ଆଗକୁ ୧ହଜାର ମେଟ୍ରିକ ଟନ ଚାଉଳ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ଉତ୍ତର ରଖିଛନ୍ତି । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ପନିପରିବା ଚାଷରେ ରାଜ୍ୟ ବହୁ ଉନ୍ନତି ଲାଭ କରିଛି। ଓଡିଶାର ପାନକୁ ବାଙ୍ଗଲାଦେଶ ଆଉ ବନାରସକୁ ରପ୍ତାନୀ କରାଯାଉଛି। ରାଜ୍ୟରେ ଅଦିନିଆ ବର୍ଷା ପାଇଁ ଚାଷୀ ସମସ୍ୟା ଭୋଗୁଛନ୍ତି। ତେଣୁ ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରକଳ୍ପକୁ ସରକାର ହାତକୁ ନେଇଛନ୍ତି। ବର୍ତ୍ତମାନ ଆମ ରାଜ୍ୟ ବିକାଶର ଭୂଖଣ୍ଡରେ ପରିଣତ ହୋଇଛି ବୋଲି କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି।