ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଉ ଦିନକ ପରେ ରାଜ୍ୟରେ ପୌର ନିର୍ବାଚନ। ଏଥିପାଇଁ କାଲି ସନ୍ଧ୍ୟା ୬ଟାରୁ ପ୍ରଚାରରେ ବ୍ରେକ୍ ଲାଗିଛି । ସେହିଭଳି ବିଭିନ୍ନ ସ୍ଥାନରେ ଚୋରା ମଦ , ନିଶାଦ୍ରବ୍ୟ ଓ ଅର୍ଥ କାରବାର ଉପରେ ନଜର ରଖିବା ଲାଗି ପେଟ୍ରୋଲିଂ ମଧ୍ୟ କରାଯାଉଛି। ଗୁରୁବାର ରାଜ୍ୟର ଏନଏସି / ମ୍ୟୁନିସିପାଲିଟି ଏବଂ ୩ ମହାନଗର ନିଗମରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ୧୦୯ ପୌରାଞ୍ଚଳର ମୋଟ ୧୮୩୭ ୱାର୍ଡ ଅନ୍ତର୍ଗତ ୪ , ୩୭୩ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୨୨ ହଜାର ପୁଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତି ପୁଲିଂପାର୍ଟିରେ ଜଣେ ଲେଖାଏ ପ୍ରିଜାଇଡିଂ ଅଫିସର ଏବଂ ୪ ପୁଲିଂ ଅଧିକାରୀ ରହିବେ । ଆଜିପୁଲିଂ ପାର୍ଟି ସଦସ୍ୟମାନେ ବିଭିନ୍ନ ଜିଲ୍ଲା ସଦର ମହକୁମାରୁ ଇଭିଏମ୍ , ଭିଭିପାଟ୍ ସହ ଅନ୍ୟ ନିର୍ବାଚନୀ ସାମଗ୍ରୀ ଧରି ବୁଥ୍ ମୁହାଁ ହେବେ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ରାଜ୍ୟବ୍ୟାପୀ ୧୯୫ ପ୍ଲାଟୁନ୍ ପୁଲିସ ଫୋର୍ସମୁତୟନ ରହିବେ । ପ୍ରତି ବୁଥରେ ଜଣେ ହାବିଲଦାର ବା କନଷ୍ଟେବଲ କିମ୍ବା ସଶସ୍ତ୍ର ପୁଲିସ ରହିବେ । ସମ୍ବେଦନଶୀଳ ବୁଥରେ ଜଣେ ହାବିଲଦାର / କନଷ୍ଟେବଲଙ୍କ ସହ ଜଣେ ସଶସ୍ତ୍ର ପୁଲିସ ମୁତୟନ ରହିବେ । ତେବେ ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଭୋଟଗ୍ରହଣ ହେବ ଏବଂ ୨୬ ତାରିଖରେ ଗଣତି ହୋଇ ଫଳାଫଳ ବାହାରିବ । ଏଥର ଲୋକେ ସିଧାସଳଖ ମେୟର / ପୌରାଧ୍ୟକ୍ଷ ବାଛିବାକୁ ଥିବାରୁ ପ୍ରତି ବୁଥରେ ଦୁଇଟି ଲେଖାଏ ଇଭିଏମ୍ ରହିବ ବୋଲି ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ତିନି ପ୍ରମୁଖ ଦଳ ଆସନ ହୋତେଇବା ପାଇଁ ଜୋରସୋର ପ୍ରଚାରକରିଛନ୍ତି। ତେବେ ହାତୀ କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ତାହା ୨୬ ତାରିଖରେ ଜଣା ପଡିବ।