ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଯୁଦ୍ଧ ହେତୁ ଅଶୋଧିତ ତୈଳ ଦରରେ ପରିବର୍ତ୍ତନ ଦେଖା ଦେଇଛି। ଯାହାର ପ୍ରଭାବ ସାଧରଣ ଜନତାଙ୍କ ଉପରେ ପଡିଛି। ଅଶୋଧିତ ତୈଳର ମୂଲ୍ୟରେ ବୃଦ୍ଧି ହେତୁ ଘରୋଇ ରନ୍ଧନ ଗ୍ୟାସର ଦର ମଧ୍ୟ ବୃଦ୍ଧି ପାଇଛି। ୧ଟଙ୍କା ନୁହେଁ କି ୧୦ ଟଙ୍କା ନୁହେଁ ଏଥର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ଏଲପିଜିର ମୂଲ୍ୟ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି ବୋଲି ସୂତ୍ରରୁ ପ୍ରକାଶ।
ଦରବୃଦ୍ଧି ପରେ ୧୪.୨-କିଲୋ ଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ବର୍ତ୍ତମାନ ଦିଲ୍ଲୀରେ ୯୪୯.୫୦ ଟଙ୍କା ହୋଇଛି। ସୂତ୍ରରୁ ପ୍ରକାଶ ଯେ ଅକ୍ଟୋବର ୬ ତାରିଖରୁ ଏଲପିଜିର ମୂଲ୍ୟରେ ବୃଦ୍ଧି ଘଟି ନଥିଲା। କିଛି ଦିନ ତଳେ କ୍ଷୀର ଦର ମଧ୍ୟ ବୃଦ୍ଧି ପାଇଥିଲା। ଏହି ଦର ବୃଦ୍ଧି ବର୍ତ୍ତମାନ ସାଧାରଣ ଜନତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି। ତେବେ ଏଭଳି ଦର ବୃଦ୍ଧି ଲୋକମାନଙ୍କୁ ପୁଣି ଥରେ ଚୁଲିମୁଣ୍ଡକୁ ଫେରିବାକୁ ବାଧ୍ୟ କରିବ ବୋଲି ଆଶା କରାଯାଉଛି।