ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ନବନିର୍ବାଚିତ ଭାଗବତ ମନ ଆଜି ସ୍ୱାଧୀନତା ସଂଗ୍ରାମୀ ଭଗତ୍ ସିଂଙ୍କ ଜନ୍ମସ୍ଥାନ ଖଟକର କଲନରେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍ ଆଦମୀ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଅଂଶଗ୍ରହଣ କରିବେ।
୧୧୭ଆସନ ପଞ୍ଜାବ ବିଧାନସଭାରେ ୯୨ଟି ଆସନ ଜିତି ଆମ୍ ଆଦମୀ ପାର୍ଟି ଏକ ବିପୁଳ ବିଜୟ ଅର୍ଜନ କରିଛି। ସାଙ୍ଗୁର ଜିଲ୍ଲାର ଧୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶ୍ରୀ ମନ କଂଗ୍ରେସର ଦଲବୀର ସିଂ ଗୋଲ୍ଡିଙ୍କ ଠାରୁ ୫୮,୨୦୬ ଭୋଟ ବ୍ୟବଧାନରେ ଜିତିଥିଲେ।
ଭାଗବତ ମନ ଏହି କାର୍ଯ୍ୟକ୍ରମରେ ପଞ୍ଜାବର ଲୋକଙ୍କୁ ଆମନ୍ତ୍ରଣ କରିଛନ୍ତି ଯେ ଏହା କେବଳ ତାଙ୍କର ନୁହେଁ, ରାଜ୍ୟର ୩ କୋଟି ଲୋକ ତାଙ୍କ ସହିତ ଶପଥ ଗ୍ରହଣ କରିବେ। ସେ କହିଛନ୍ତି ଶପଥ ଗ୍ରହଣ ସିଏମଙ୍କର ହେବ, କିନ୍ତୁ ମୋ ସହିତ ପଞ୍ଜାବର ତିନି କୋଟି ଲୋକ ମଧ୍ୟ ସିଏମ ହେବେ। ମିଳିତ ଭାବେ ଆମେ ସହିଦ ଭାଗବତ ସିଂଙ୍କ ରଙ୍ଗଲା ପଞ୍ଜାବ କରିବୁ ବୋଲି ଶ୍ରୀ ମନ ଏକ ଭିଡିଓ ବାର୍ତ୍ତାରେ ଜାରି କରି କହିଛନ୍ତି।
ଏହାସହ ସେ ପୁରୁଷମାନଙ୍କୁ ହଳଦିଆ ରଙ୍ଗର ପଗଡି ପିନ୍ଧିବାକୁ ଏବଂ ମହିଳାମାନଙ୍କୁ ହଳଦିଆ ଓଢ଼ଣୀ ପିନ୍ଧିବାକୁ ଅନୁରୋଧ କରିଛନ୍ତି। ଶପଥ ଗ୍ରହଣ ସମାରୋହ ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ପାଇଁ ଇନ୍ସପେକ୍ଟର ଜେନେରାଲ ଏବଂ ସିନିୟର ସୁପରିଣ୍ଟେଣ୍ଡେଣ୍ଟ ଅଧିକାରୀଙ୍କ ସମେତ ପ୍ରାୟ ୧୦,୦୦୦ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଶପଥ ଗ୍ରହଣ ସମାରୋହରେ ବିଶାଳ ସମାବେଶକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି ଏକଦିନ ସ୍କୁଲ ଛୁଟି ଘୋଷଣା କରିଛି।