ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଶାସକ ଦଳ ବିଜେଡିକୁ ମିଳିଛି ବିରାଟ ବିଜୟ। ୩୦ରୁ ୩୦ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ହାତେଇଛି ବିଜେଡି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ର ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତକୁ ଯାଇଛି । ଦଳୀୟ ସୂଚନା ଅନୁଯାୟୀ ସବୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଆସନ ବିଜେଡି ହାତେଇଛି । କନ୍ଧମାଳ , କୋରାପୁଟ , କେନ୍ଦୁଝର , ମୟୂରଭଞ୍ଜ , ପୁରୀ ଓ ଜଗତସିଂହପୁର ଭଳି ୬ଟି ଜିଲ୍ଲାରେ ପ୍ରତିଦ୍ବନ୍ଦ୍ବତା ହୋଇଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ବିଜେଡି ନାମାଙ୍କନଧାରୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଗୁରୁତ୍ଵପୂର୍ଣ୍ଣ ହେଉଛି ୩୦ ଆସନରୁ ୨୧ଟି ଅର୍ଥାତ୍ ୭୦ ପ୍ରତିଶତ ମହିଳାଙ୍କ ଦଖଲକୁ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶସ୍ତୀକରଣକୁ ଗୁରୁତ୍ବ ଦେଉଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର ମିଳିଛି । ଓଡିଶା ଇତିହାସରେ ପ୍ରଥମ ଥର ପାଇଁ କୌଣସି ଏକ ଆଞ୍ଚଳିକ ଦଳ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାରେ ସଫଳ ହୋଇଛି । ରବିବାର ଜିଲ୍ଲାପରିଷଦ ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ର ସଭ୍ୟ / ସଭ୍ୟାମାନେ ସାମିଲ ହୋଇଥିଲେ । ବିଜେଡି ସର୍ବାଧିକ ୭୬୬ଟିରେ ବିଜୟୀ ହୋଇଥିବାବେଳେ ବିଜେପି ୪୨ ଓ କଂଗ୍ରେସ ୩୭ଟି ଆସନ ହାତେଇ ଥିଲେ । ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ମିଶି ୮ଟି ଆସନ ପାଇଥିଲେ ।