ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଏବେ ଠାରୁ କଲବଲ କଲାଣି ତାତି। ରାଜ୍ୟରେ ବଢ଼ୁଛି ତାପମାତ୍ରା। କିଛି କିଛି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୭.୫ ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୋଳରେ ୩୭.୧ ଡିଗ୍ରୀ ଥିବାବେଳେ ତାଳଚେର ତାପମାତ୍ରା ୩୭.୦୦ ଟିଟିଲାଗଡ ଏବଂ ସୁବର୍ଣ୍ଣପୁରରେ ୩୭ ଡିଗ୍ରୀ ଲେଖାଏଁ ତାପମାତ୍ରା ରହିଛି । ରାଜଧାନୀରେ ତାପମାତ୍ରା ୩୫.୯ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି , ଆସନ୍ତା ୫ଦିନ ପର୍ଯ୍ୟନ୍ତ ପାଗ ଶୁଖୁଲା ରହିବ । ଏହାରି ଭିତରେ କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିଶେଷ କରି ଆଭ୍ୟନ୍ତରୀଣରେ ୨ରୁ ୩ଡିଗ୍ରୀ ଯାଏଁ ଦିନ ତାପମାତ୍ରା ବଢ଼ିବା ଦ୍ଵାରା ଅଳ୍ପ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ । ଉପକୂଳରେ ୧ରୁ ୨ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ଭୁବନେଶ୍ଵରରେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।