ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ପରିସରରେ ଦିବଂଗତ ଡଃ ପ୍ରଦୀପ କୁମାର ରଥଙ୍କୁ ହସ୍ପିଟାଲର ଚିକିତ୍ସାଧୀକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଗତ ୨୭ ତାରିଖ ଗୁରୁବାର ଦିନ ବିଶିଷ୍ଟ ଚିକିତ୍ସକ ଡାକ୍ତର ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ଵରସ୍ଥ କ୍ୟାପିଟାଲ ହସ୍ପିଟାଲରେ ମାତ୍ର ୫୬ ବର୍ଷ ବୟସରେ ଅକାଳ ବିୟୋଗ ହୋଇଥିଲା । ଜଣେ ମେଧାବୀ ଡାକ୍ତରୀ ଛାତ୍ର ଭାବରେ ଶିକ୍ଷାଲାଭ କରିବା ପରେ ଡା . ରଥ ସୁଦୁର କୋରାପୁଟର ନନ୍ଦପୁର , ଲମତାପୁଟ , ମାଥାଲପୁଟ ପ୍ରଭୃତି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଦୀର୍ଘଦିନ ସଫଳତାର ସହିତ ଯନ୍ତ୍ରଣାକ୍ଳିଷ୍ଟ ଜନତାଙ୍କର ସେବାକରି ଖୁବ୍ ସୁନାମ ଅର୍ଜନ କରିଥିଲେ । ପରବର୍ତ୍ତୀ ସମୟରେ କୋରାପୁଟ ଜିଲ୍ଲାର ଲେପ୍ରୋସି ଅଫିସର ଭାବେ କାର୍ଯ୍ୟକରି ଖୁବ୍ ଲୋକପ୍ରିୟ ହୋଇପାରିଥିଲେ । ୨୦୧୯ ମସିହାରୁ ସେ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ JDMO ଭାବରେ କାର୍ଯ୍ୟରତ ଥିବାବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । କ୍ୟାପିଟାଲ ହସ୍ପିଟାଲର ଏହି ସ୍ଵଳ୍ପ ସେବା ସମୟ ମଧ୍ୟରେ ସେ ସମସ୍ତ ସହର୍କମୀ , ସାଧାରଣ ଜନତା ଓ ଉଚ୍ଚପଦସ୍ଥ ଅଧିକାରୀମାନଙ୍କର ଅତି ପ୍ରିୟଭାଜନ ହୋଇ ପାରିଥିଲେ । ଡାଃ . ରଥଙ୍କ ଅକାଳ ବିୟୋଗ ସମ୍ବାଦ ପାଇ ହସ୍ପିଟାଲର ନିର୍ଦ୍ଦେଶକ , ସହକାରୀ ଅଧୀକ୍ଷକ ଓ ବିଭିନ୍ନ ବିଭାଗର ମୁଖ୍ୟ ତଥା ଡାକ୍ତର ଏବଂ କର୍ମଚାରୀବୃନ୍ଦ ଶୋକାଭିଭୂତ ହୋଇ ପଡ଼ିଥିଲେ । ଭୁବନେଶ୍ଵରର ସତ୍ୟନଗରସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମୟରେ ବହୁ ବିଭାଗୀୟ ଡାକ୍ତର , କର୍ମଚାରୀ ଏବଂ ରାଜଧାନୀର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଅନ୍ତିମ ଦର୍ଶନ କରିବା ସଂଗେ ସଂଗେ ଦିବଂଗତ ଆତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ଡାକ୍ତର ରଥଙ୍କର ସୁଗୁଣାବଳୀର ସ୍ମୃତିଚାରଣ କରିଥିଲେ । ପୁତ୍ର ପ୍ରତ୍ୟୁଷ କୁମାର ରଥ ମୁଖାଗ୍ନି ଦେଇଥିବାବେଳେ ଜ୍ଞାତି ଓ ପରିବାର ଲୋକେ ଏକ ଶୋକାକୁଳ ପରିବେଶରେ ଅମର ଆତ୍ମାର ବୈକୁଣ୍ଠପ୍ରାପ୍ତି ପାଇଁ ଶ୍ରଦ୍ଧା ନିବେଦନ ଜ୍ଞାପନ କରିଥିଲେ । ସ୍ଵର୍ଗତ ଡାକ୍ତର ରଥଙ୍କର ଆଦର୍ଶ ଜୀବନ ଓ ସେବାମୂଳକ କାର୍ଯ୍ୟ ପାଇଁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଆୟୋଜିତ ଏକ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭାରେ ନିର୍ଦ୍ଦେଶକ ଡାଃ . ଲକ୍ଷ୍ମୀଧର ସାହୁ , ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଡାଃ . ଧନଞ୍ଜୟ ଦାସ ବିଭାଗ ମୁଖ୍ୟ ଡାଃ . ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଚିକିତ୍ସାଧିକାରୀ ଓ ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଡାକ୍ତର ରଥଙ୍କର କର୍ମମୟ ଜୀବନ ବିଷୟରେ ସ୍ମୃତି ଅବଗାହନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆସନ୍ତା ବୁଧବାର ଦିନ ଭୁବନେଶ୍ୱରଠାରେ ଡାଃ . ରଥଙ୍କର ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା କରାଯିବା ପ୍ରସ୍ତାବ ପାଇଁ ସ୍ଵର୍ଗତ ରଥଙ୍କର ପ୍ରିୟ ପରିଜନ ଏକ ଭବ୍ୟ ଆୟୋଜନ କରିଛନ୍ତି ।