ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ସରିଲା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ। ମାର୍ଚ୍ଚ ୧୦ରେ ସମସ୍ତଙ୍କ ସାମ୍ନାରେ ଉପଲବ୍ଧ ହେବ ନିର୍ବାଚନଫଳ। ପୂର୍ବରୁ ଗୋଆ , ମଣିପୁର , ଉତ୍ତରାଖଣ୍ଡ ଓ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି । ତେବେ ପଞ୍ଜାବ ଆଉ ୟୁପିରେ ଆପର ପଲ୍ଲା ଭାରି ବୋଲି ଜଣା ଯାଉଥିବା ବେଳେ ନିର୍ବାଚନଫଳ ଉପରେ ସମସ୍ତେ ଅପେକ୍ଷା କରି ରହିଛନ୍ତି। ସେପଟେ ନିର୍ବାଚନ ସରିବା ପରେ ସମଗ୍ର ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବାର ସମ୍ଭାବନା ଥିବା କୁହାଯାଉଛି । ତୈଳଦର ଲିଟର ପିଛା ପ୍ରାୟ ୧୦ରୁ ୧୨ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଶା କରାଯାଉଛି। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲି ଥିବାରୁ ଅଶୋଧୂତ ତୈଳ ଦାମ ବ୍ୟାରେଲ ପିଛା ୧୦୦ ଡଲାରରୁ ଆରମ୍ଭ କରି ୧୩୦ ଡଲାରରେ ପହଞ୍ଚିଛି । ଅଶୋଧୂତ ତୈଳର ମୂଲ୍ୟ ବୃଦ୍ଧି ହେଉଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ବିଧାନସଭା ନିର୍ବାଚନ ଚାଲିଥିବାରୁ ସରକାର ତୈଳ ଦର ବୃଦ୍ଧି କରିବାକୁ ଚାହୁଁନାହାନ୍ତି । ବିଧାନସଭା ନିର୍ବାଚନ ସରିଥିବାରୁ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିପାରେ ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି । ୪ ମାସ ହେଲା ତୈଳଦରରେ କୌଣସି ପରିବର୍ତ୍ତନ ହୋଇନି । ଗତବର୍ଷ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ୁଥିବାରୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରିବାକୁ ପ୍ରୟାସ କରି ପେଟ୍ରୋଲ ଉପରେ ଲାଗୁ ହେଉଥିବା ଉତ୍ପାଦ ଶୁଳ୍କକୁ ୫ ଟଙ୍କା ଓ ଡିଜେଲ ଉପରେ ଲାଗୁ ଶୁଳ୍କକୁ ୧୦ ଟଙ୍କା ହ୍ରାସ କରିଥିଲେ । ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ରହିଛି ।