ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶକ୍ରମେ ଆଜି ଠାରୁ ୧୦୬ ପୌରାଞ୍ଚଳ ସମେତ କଟକ ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଆସନ୍ତା ୭ ତାରିଖ ନାମାଙ୍କନପତ୍ର ଦାଖଲର ଅନ୍ତିମ ତାରିଖ ରହିଛି । ଆସନ୍ତା୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ନାମାଙ୍କନପତ୍ର ପ୍ରତ୍ୟାହାର ଶେଷ ତାରିଖ ୧୪ ରହିଛି । ଏବଂ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ୨୬ରେ ଭୋଟ ଗଣତି ହେବା ସହ ଫଳ ପ୍ରକାଶ ପାଇବ। ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧୂ ବଳବତ୍ତର ରହିବ । ଆସନ୍ତା ମାର୍ଚ୍ଚ ୨୪ତାରିଖରେ ସମସ୍ତ ପୌର ପରିଷଦ ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମରେ ପ୍ରାୟ ୪୧ଲକ୍ଷ ଭୋଟର ନିଜର ମତାଧ୍ୟାକାର ସାବ୍ୟସ୍ତ କରିବେ । ଏହି ପୌର ନିର୍ବାଚନ ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ଅନୁଷ୍ଠିତ ହେବ । ଚଳିତଥର ରାଜ୍ୟରେ ପ୍ରଥମ ଥର ପାଇଁ ପୌର ପରିଷଦ ଓ ଏନ୍ଏସି ଅଧ୍ୟକ୍ଷ ଓ ମହାନଗର ନିଗମର ମେୟର ପଦ ପାଇଁ ସିଧାସଳଖ ନିର୍ବାଚନ ହେବ । ନିର୍ବାଚନରେ ଭୋଟରମାନେ ଇଭିଏମ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିବେ, ଏଥିପାଇଁ ଇଭିଏମ ପ୍ରାକ୍ଟିସ ମଧ୍ୟ କରାଯାଇଥିଲା । ତେବେ ସୂଚନାମୁତାବକ ପ୍ରତି ବୁଥ ରେ ଦୁଇଟି ଇଭିଏମ ରହିବ।