ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ରବିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି । ଗତକାଲି ଭୁବନେଶ୍ବର , କଟକ ଓ ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି । ଭୁବନେଶ୍ବରରେ ୩୨ ମିମି , ଚାନ୍ଦବାଲିରେ ୧୦.୨ ମିମି ଏବଂ କଟକରେ ୯ ମିମି ବର୍ଷା ରେକର୍ଡ ହୋଇଛି । ଗତକାଲି ସକାଳୁ ପାଗ ମେଘୁଆ ରହିବା ସହ ପବନ ମଧ୍ୟ ବହିଥିଲା । ଅପରାହ୍ନ ୨ଟା ବେଳକୁ ରାଜଧାନୀରେ ଝିପିଝିପି ବର୍ଷା ହୋଇଥିଲା । ସନ୍ଧ୍ୟାରେ କେତେକ ଅଞ୍ଚଳରେ ବର୍ଷା ପବନ ମଧ୍ୟ ହୋଇଛି । ରବିବାର ସକାଳେ ଯାଜପୁର , ହୀରାକୁଦ , ସମ୍ବଲପୁର , ଝାରସୁଗୁଡା , ବାରିପଦା ଏବଂ ଅନୁଗୋଳରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ୨୨.୨ ମିମି ବର୍ଷା ରେକର୍ଡ ହୋଇଛି । ବର୍ଷା ଯୋଗୁଁ ରାତି ତାପମାତ୍ରା ବୃଦ୍ଧି ପାଇଛି । ତେବେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗ ଶୁଖୁଲା ରହିବ । ଏବଂ ଆସନ୍ତା ୨୪ ତାରିଖ ବେଳକୁ ପୁଣି ପଶ୍ଚିମା ଝଡ଼ ପ୍ରଭାବରେ ବରଗଡ଼ , ଝାରସୁଗୁଡା , ସୁନ୍ଦରଗଡ଼ , ସମ୍ବଲପୁର , ଦେବଗଡ , କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୫ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ସେହି ଉତ୍ତର ଆଭ୍ୟନ୍ତରୀଣରେ ୨ ରୁ ୩ଦିନ ପର୍ଯ୍ୟନ୍ତ ୪ ଡିଗ୍ରୀ ଯାଏଁ ସର୍ବନିମ୍ନ ତାପମାତ୍ରା ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।