ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଗଣମାଧ୍ୟମ ଆକ୍ରମଣକାରୀଙ୍କ ଉପରେ ତୁରନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଜନମଙ୍ଗଳ ପରିଷଦର ସଦସ୍ୟ। ପଞ୍ଚାୟତ ନିର୍ବାଚନରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କରିଥିବା ଅସାମାଜିକ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର ଦଣ୍ଡରେ ଦଣ୍ଡିତ କରିବା ଦାବୀ କରି ଜନମଙ୍ଗଳ ପରିଷଦ ପକ୍ଷରୁ ପ୍ରତିବାଦ କରାଯାଇଛି । ଆଗରୁ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେଉଥିବା ସାମ୍ବାଦିକ ମାନେ ଚଳିତ ନିର୍ବାଚନ ବେଳେ ଖବର ସଂଗ୍ରହ ବେଳେ ମରଣାତ୍ମକ ଆକ୍ରମଣର ସାମ୍ନା କରୁଛନ୍ତି ଯାହା ଏକ ଉଦବେଗର ବିଷୟ । ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଏକ ସୁସ୍ଥ ଗଣତନ୍ତ୍ର ଓ ରାଜନୈତିକ ପ୍ରକ୍ରିୟା ପାଇ ଆଦୌ ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା ହେଉଛି । ବାରମ୍ବାର ଦାବି ସତ୍ତ୍ଵେ ସରକାର ସାମ୍ବାଦିକଙ୍କ ସୁରକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା ନକରିବା ପରିଣାମ ଆଜି ଦେଖିବାକୁ ମିଳୁଛି । ତେବେ ଏହି ଦାବୀକୁ ନେଇ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସହରର ବହୁ ବୁଦ୍ଧିଜୀବୀ ଛାତ୍ର ଯୁବକ ମାନେ ଏକାଠି ହୋଇ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି। ଆଗାମୀ ଦିନରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା କୁ ନିଶ୍ଚିତ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଓ ପୋଲିସ ଡିଜି ଙ୍କୁ ଦାବୀ ପତ୍ର ମଧ୍ୟ ପ୍ରଦାନ କରାଯାଇଛି।