ସନଷ୍ଟାର ଟିଭି ବ୍ୟୁରୋ
ପୁରୀ : ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଡାକ୍ତର। ଦୁର୍ନୀତି ନିବାରଣ ଦଳ ହାତରେ ଧରା ପଡି ଗିରଫ ହୋଇଛନ୍ତି ନିମାପଡ଼ା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ଜେନା । ସୂଚନାମୁତାବକ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ ଡାକ୍ତର। ତେବେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହାସହ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଭୁବନେଶ୍ୱର କଳାରାହାଙ୍ଗସ୍ଥିତ ବାସଭବନରେ ଚଢଉ କରାଯାଇଛି । ଚଢଉ ବେଳେ ତାଙ୍କ ଘରୁ ୧ କୋଟି ୧୨ଲକ୍ଷ ଟଙ୍କା ମିଳିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ଡାକ୍ତର ଜେନା ୮ ହଜାରଟଙ୍କା ଦାବି କରିଥିଲେ। ଅସ୍ତ୍ରୋପଚାର ପୂର୍ବରୁ ୩ହଜାର ଟଙ୍କା ଅଗ୍ରିମ ନେଇଥିବା ବେଳେ ଅସ୍ତ୍ରୋପଚାର ପରେ ବୁଧବାର ଆଉ ଡାକ୍ତର ସୁକାନ୍ତ କୁମାର ଜେନା ୫ହଜାର ଟଙ୍କା ନେଇଥାନ୍ତେ । ଏ ନେଇ ମହିଳାଙ୍କ ଜଣେ ସମ୍ପର୍କୀୟ ଭୁବନେଶ୍ଵର ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଭିଯୋଗକରିଥିଲେ । ବୁଧବାର ସନ୍ଧ୍ୟାରେ ଶ୍ରୀ ଜେନା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ନିର୍ଦିଷ୍ଟ ତଥ୍ୟ ମିଳିପାରିନାହିଁ ।