ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବୁଧବାର ଠାରୁ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଆରମ୍ଭ ହୋଇଛି। ଏଥିଲାଗି ରାଜ୍ୟର ୨୦୦ଟି ଜିଲ୍ଲା ପରିଷଦ ଆସନରେ ଛିଡ଼ା ହୋଇଛନ୍ତି ୭୨୬ଜଣ ପ୍ରାର୍ଥୀ । ଆଜି ଏହି ଜିଲ୍ଲା ପରିଷଦଙ୍କ ସହିତ ୩୦ଟି ଜିଲ୍ଲା ୭୧ଟି ବ୍ଲକ୍ର ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ମଧ୍ୟ ଭୋଟଗ୍ରହଣ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ମତଦାନରେ ୨୨ହଜାର ୩୭୯ଟି ମତଦାନ କେନ୍ଦ୍ରରେ ସକାଳ ୭ରୁ ଦିନ ଗୋଟାଏ ମଧ୍ୟରେ ୬୭.୫୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏହି ମତଦାନବେଳେ ଯେଭଳି ସବୁ ଦଳ ନିର୍ବାଚନ ଆୟୋଗଙ୍କ ଆଚରଣ ବିଧି ମାନି କାର୍ଯ୍ୟ କରିବେ ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବେ ସେନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ପରାମର୍ଶ ଦେଇଛନ୍ତି । ଏହା ସହ କରୋନା କଟକଣାକୁ ମଧ୍ୟ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଭୋଟ ଦେବା ଲାଗି ଜଣେ ବ୍ୟକ୍ତିଙ୍କ ନାଁ ୱାର୍ଡସ୍ତରରେ ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ଥିବା ଜରୁରୀ । ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖରେ ଭୋଟର ପରିଚୟପତ୍ର ନଥିବ ତେବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଅନୁମୋଦିତ ୧୩ଟି ଦସ୍ତାବିଜ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ର ଦେଖାଇ ମତଦାନ ସାବ୍ୟସ୍ତ କରିପାରିବେ । କରୋନା କଟକଣା ଓ ଗହଳି ଏଡ଼ାଇବା ପାଇଁ ଗୋଟିଏ ଲେଖାଏଁ ବୁଥରେ ୩୦୦ରୁ ୫୦୦ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବାବେଳେ ସନ୍ଧ୍ୟା ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର ଓ ଡାକବାଜି ଯନ୍ତ୍ର ବନ୍ଦ କରାଯିବାକୁ ନିର୍ଦ୍ଦେଶ ରହିଛି ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି ।