ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୪ରେ ଅନୁଷ୍ଠିତ ହେବାକୁ ଯାଉଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିନିମନ୍ତେ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୬ଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ଦିନ ୧୦ଟାରୁ ୧୨ଟା ଯାଏ ହେବ । ଏଥିରେ ଇଂରାଜୀ , ଗଣିତ , ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟରୁ ୧ ନମ୍ବର ମୂଲ୍ୟ ବିଶିଷ୍ଟ ୫୨ଟି ବସ୍ତୁନିଷ୍ଠ ପ୍ରଶ୍ନ ଆସିବ । ସେହିପରି ୭ମ , ୮ମ ଓ ୯ମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ଦିନ ୧୦ଟାରୁ ଅପରାହ୍ନ ୧ଟା ଯାଏ ଅନୁଷ୍ଠିତ ହେବ । ଏଥିରେ ଇଂରାଜୀ , ଓଡ଼ିଆ , ଗଣିତ , ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟରୁ ୧ ନମ୍ବର ବିଶିଷ୍ଟ ୧୦୦ଟି ବସ୍ତୁନିଷ୍ଠ ପ୍ରଶ୍ନ ଆସିବ । ପରୀକ୍ଷାର୍ଥୀ ମାନେ ଓଏମ୍ଆର୍ ସିଟ୍ରେ ଦିଆଯାଇଥିବା ପ୍ରତି ପ୍ରଶ୍ନ ସଂଖ୍ୟା ପାର୍ଶ୍ବରେ ୪ଟି ଗୋଲ ଘର ମଧ୍ୟରୁ ଠିକ୍ ଉତ୍ତର ସ୍ଥାନରେ ନୀଳ ବା କଳା ରଙ୍ଗ କଲମରେ ଗୋଲେଇ ଘରକୁ ପୂର୍ଣ୍ଣ କରିବେ । ଏହି ପରୀକ୍ଷାର ପ୍ରବେଶ ପତ୍ର ପରିଷଦର ୱେବସାଇଟ୍ www.bseodisha . ac.in ରେ ଫେବୃଆରି ୧୫ ତାରିଖରୁ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ନିଜର ନାମ , ପିତାଙ୍କ ନାମ ଓ ଶ୍ରେଣୀ ପୂରଣ କରିବା ପରେ ପ୍ରବେଶପତ୍ର ଡାଉନ୍ଲୋଡ୍ କରିପାରିବେ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।