ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ସଫଳ ଚଳଚ୍ଚିତ୍ର ଗୁଡ଼ିକର ଚିତ୍ରନାଟ୍ୟ ପୁସ୍ତକର ଆବଶ୍ୟକତା ଓଡ଼ିଆ ସାହିତ୍ୟରେ ରହିଆସିଛି । ଏହାଦ୍ବାରା ଆଗାମୀ ପିଢ଼ୀର ଚଳଚ୍ଚିତ୍ର ଲେଖକମାନଙ୍କୁ ଏହା ପ୍ରେରଣା ଯୋଗାଇଥାଏ। ତେବେ ୨୦୨୧ରେ ମୁକ୍ତିପ୍ରାପ୍ତ ସଫଳ ଓଡ଼ିଆ ଚଳଚ୍ଚିତ୍ର ‘ ଅରୁନ୍ଧତୀ’ର ଚିତ୍ରନାଟକ ‘ ‘ଅରୁନ୍ଧତୀର ଗପ’ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡ. ରଜନୀ ରଞ୍ଜନଙ୍କ ରଚିତ ଓ ପକ୍ଷୀଘର ପ୍ରକାଶନୀ ଦ୍ବାରା ପ୍ରକାଶିତ ଏହି ପୁସ୍ତକର ଲୋକାର୍ପଣ କରାଯାଇଥିଲା। ଏହି ଉତ୍ସବରେ ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ଡଃ . ସବ୍ୟସାଚୀ ମହାପାତ୍ର ,କାଦମ୍ବିନୀର ସଂପାଦିକା ଡ . ଇତି ସାମନ୍ତ , ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ , ଓଡ଼ିଆ ସିନେକ୍ରିଟିକ ଆସୋସିଏସନ୍ ର ସମ୍ପାଦକ ଦିଲ୍ଲୀପ ହାଲି ଏବଂ ବିଶିଷ୍ଟ କଥାକାର ଡ . ଅଜୟ ସାଇଁ ,ଚଳଚ୍ଚିତ୍ର ପ୍ରଯୋଜକ ରମେଶ ବାରିକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ‘ ଅରୁନ୍ଧତୀ ‘ ଚଳଚ୍ଚିତ୍ରର କିଛି କଳାକାରଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ଏହି ଅବସରରେ ଅଶ୍ବିନୀ ତ୍ରିପାଠୀ ନିର୍ଦ୍ଦେଶିତ ନୂତନ ଓଡ଼ିଆ ଚଳଚ୍ଚିତ୍ର ” ଡିୟର ଲଭ୍ ” ର ଘୋଷଣା କରାଯାଇଥିଲା । ତେବେ ଏହି ଉତ୍ସବଟିକୁ ବନୋଜ ତ୍ରିପାଠୀ ପରିଚାଳନା କରିଥିଲେ।