ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ – ୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ କରିବାକୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏହାସହ ମତଦାନର ପୂର୍ବଦିନ ନିର୍ଦ୍ଧାରିତମତଦାନ କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବା ସହ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀମାନେ ଦ୍ଵିତୀୟ ପାନ କୋଭିଡ୍ ଟିକା ନେଇଥିବେ ବାଧ୍ୟତାମୂଳକ କରାଯାଇଛି । ମତଦାନ କେନ୍ଦ୍ରରେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ଅଟେ । ଭୋଟଗ୍ରହଣ ଦିନ ଭୋଟରମାନଙ୍କ ପାଇଁ ପ୍ରବେଶ ଦ୍ଵାର ନିକଟରେ ଥର୍ମାଲ ସ୍କାନିଂ ସହ ସାନିଟାଇଜର ବ୍ୟବହାର କରାଯିବ । ପ୍ରତ୍ୟେକ ଭୋଟର ମାସ୍କ ପରିଧାନ କରି ମତଦାନ କରିବେ । ସେହିପରି ମତଗଣନା ନିମନ୍ତେ ନିରୁପିତ ହୋଇଥିବା ମତଗଣନା କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ୍ଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯିବ । ମତଗଣନା କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀ ଦ୍ଵିତୀୟ ମାତ୍ରା କୋଭିଡ୍ ଟିକା ନେଇଥିବା ଆବଶ୍ୟକ । ଏତଦ୍ବ୍ୟତୀତ ସମସ୍ତ କର୍ମଚାରୀ ମାସ୍କ ଓ ଗ୍ଲୋବସ୍ ପରିଧାନ କରି ମତଗଣନା କାର୍ଯ୍ୟରେ ନିୟୋଜିତ ହେବେ । କାଉଣ୍ଟିଂ ଏଜେଣ୍ଟମାନେ ମଧ୍ୟ ମାସ୍କ ପରିଧାନ ସହ କୋଭିଡ୍ ଦ୍ଵିତୀୟ ପାନ ଟିକା ନେଇଥିବା ବାଧ୍ୟତାମୂଳକ ଅଟେ । ମତଗଣନା କେନ୍ଦ୍ର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି କର୍ମଚାରୀମାନେ କାର୍ଯ୍ୟ କରିବେ । କୋଭିଡ୍ – ୧୯ ଦ୍ଵିତୀୟ ମାତ୍ରା ଟିକା ନେଇଥିଲେ ମଧ୍ୟ ମତଗଣନା କେନ୍ଦ୍ରକୁ ପ୍ରବେଶ ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମତଗଣନାର ୪୮ ଘଣ୍ଟା ମଧ୍ୟରେ ଆର୍ଟିପିସିଆର୍ ଟେଷ୍ଟିଙ୍ଗ ହୋଇଥିବା ନିତ୍ୟାନ୍ତ ଜରୁରୀ । ମତଦାନ କେନ୍ଦ୍ର ଓ ମତଗଣନା କେନ୍ଦ୍ରଠାରେ ନିୟୋଜିତ ହୋଇଥିବା ସୁରକ୍ଷା କର୍ମଚାରୀମାନେ ମଧ୍ୟ କୋଭିଡ୍ ନିୟମାନୁସାରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବେ । କୋଭିଡ୍ ଦ୍ଵିତୀୟ ମାତ୍ରା ଟିକା ନେଇଥିବା ସତ୍ତ୍ବେ ଯଦି କୋଭିଡ୍ର କୌଣସି ଲକ୍ଷଣ ଯଥା ଜ୍ଵର , ସର୍ଦ୍ଦି , ଥଣ୍ଡା ଆଦି ପ୍ରକାଶ ପାଏ , ତାହେଲେ ସେହି କର୍ମଚାରୀଙ୍କୁ ମତଗଣନା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।