ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ସୁସ୍ଥ ସମାଜ ସମସ୍ତଙ୍କର ଆବଶ୍ୟକ। ଆମେ ସମସ୍ତେ ସୁସ୍ଥ ଜୀବନ ଯାପନ କରିବାକୁ ଲକ୍ଷ୍ୟ ରଖିଥାଉ। କିନ୍ତୁ ଏପରି ବହୁ ରୋଗ ରହୁଛି ଯାହା ପାଇଁ ଲୋକ ଅନେକ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି। ଯାହାକି ସେମାନଙ୍କ ପାଇଁ ଆର୍ଥିକ ଅନଟନ ତିଆରି କରୁଛି। ପ୍ରତ୍ୟେକ ବର୍ଷ ଜାନୁଆରୀ ୩୦କୁ ସମଗ୍ର ବିଶ୍ବରେ ଉପେକ୍ଷିତ ଉଷ୍ମ କଟୀବନ୍ଧୀୟ ରୋଗ ( ଏନଟିଡି ) ଦିବସ ଭାବରେ ପାଳନ କରାଯାଉଛି । ଏହି ରୋଗର ସମୂଳେ ବିନାଶ କରିବା ଦିଗରେ ପୂର୍ଣ୍ଣ ପ୍ରତିବଦ୍ଧ ହୋଇ ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟ ନେଇ ଏହି ଦିବସ ପାଳନ କରାଯାଉଛି । ୨୦୧୨ ଲଣ୍ଡନ ଘୋଷଣାନାମା ଅନୁଯାୟୀ ଏନଟିଡିର ମୂଳୋତ୍ପାଟନ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ୨୦୨୦ରେ ବିଶ୍ବକୁ ଏହି ରୋଗରୁ ସୁରକ୍ଷିତ ରଖିବା ସକାଶେ ପ୍ରଥମ ଥର ପାଇଁ ବିଶ୍ବ ଏନଟିଡି ଦିବସ ପାଳନ କରାଯାଇଥିଲା । ଏନଟିଡି ଶରୀରକୁ ଦୁର୍ବଳ ଏବଂ ଜୀବନକୁ ପ୍ରଭାବିତ କଲାଭଳି ରୋଗଗୁଡିକର ସମାହାର ଯାହା ଅଧିକରୁ ଅଧିକ ଦରିଦ୍ର ଏବଂ ସବୁଠାରୁ ଦୁର୍ବଳ ଜନସାଧାରଣଙ୍କୁ ଆକ୍ରାନ୍ତ କରୁଛି । ଏନଟିଡିରେ ଗୋଦରା ଗୋଡ ( ଲିମ୍ଫାଟିକ ଫାଇଲେରିଆସିସ୍ ) , କାଲାକ୍ସର ( ଭିସେରାଲ ଲିଶମେନିୟାସିସ ) , କୁଷ୍ଠରୋଗ ( ଲେପ୍ରସି ) , ଡେଙ୍ଗୁ , ଚିକୁନଗୁନିଆ , ସାପକାମୁଡା , କୁକୁର କାମୁଡା ଆଦି ରୋଗକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ରୋଗଗୁଡିକର ନିୟନ୍ତ୍ରଣ ପୂର୍ଣ୍ଣମାତ୍ରାରେ ସମ୍ଭବ ; କିନ୍ତୁ ସମୁଦାୟ ବିଶ୍ବରେ ପ୍ରତିବର୍ଷ ଅନେକ ଲୋକ ଏହି ସମସ୍ତ ରୋଗରେ ସଂକ୍ରମିତ ହେଉଛନ୍ତି । ଭାରତରେ ମଧ୍ୟ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକ ଏନଟିଡି ରୋଗରେ ସଂକ୍ରମିତ ହେଉଥିବାରୁ ଅନେକ ଯନ୍ତ୍ରଣାର ଭୋଗୁଛନ୍ତି । ଏହାସହ ଅନେକ ବିକଳାଙ୍ଗ ମଧ୍ୟ ହେଇଯାଉଛନ୍ତି । ଯେଉଁ କାରଣରୁ ସେମାନେ ଜୀବିକା ଉପାର୍ଜନ କରିବାରେ ଅକ୍ଷମ ହୋଇଯାଉଛନ୍ତି। ଏହି କାରଣରୁ ସେମାନଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇଯାଉଛି । କିନ୍ତୁ ବିଗତ କିଛି ବର୍ଷ ଧରି ଏହା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି , ଯାହାଦ୍ବାରା ଏ କ୍ଷେତ୍ରରେ ଏକ ମିଶନ ଆଧାରରେ କାର୍ଯ୍ୟ କରାଯାଇପାରିବ । ଏହି ଅବସରରେ ଏନଟିଡି ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ସାମୁଦାୟିକ ସହଭାଗିତା ସହିତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି , ଯାହାଫଳରେ ଏକ ସୁସ୍ଥ ସମାଜ ଏବଂ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ।