ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଫେବୃଆରୀ ପହିଲାରେ ଆସିବ କେନ୍ଦ୍ର ସାଧାରଣ ବଜେଟ୍। ତେବେ ଏହା ପୂର୍ବରୁ ଶୁକ୍ରବାର ଦିନ ଭି . ଅନନ୍ତ ନାଗେଶ୍ବରନ୍ଙ୍କୁ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାମୁତାବକ ଭି . ଅନନ୍ତ ନାଗେଶ୍ବରନ୍ ଭାରତ ଓ ସିଙ୍ଗାପୁରରେ ଅନେକ ବ୍ୟାଙ୍କ , ବ୍ୟବସାୟିକ ତଥା ଅର୍ଥନୈତିକ ଶିକ୍ଷାନୁଷ୍ଠାନ ଓ ପ୍ରବନ୍ଧନ ସଂସ୍ଥାନରେ ପ୍ରମୁଖ ପଦରେ କାର୍ଯ୍ୟ କରିଛନ୍ତି । ଭି ନାଗେଶ୍ବରନ ଅନନ୍ତ ଆଇଏଫଏମଆର ଗ୍ରାଜୁଏଟ ସ୍କୁଲ ଅଫ୍ ବିଜନେସ୍ରେ କୂଳପତି ଓ କେଆରଇଏ ବିଶ୍ବବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ବରିଷ୍ଠ ପରିଦର୍ଶକ ପ୍ରଫେସର ମଧ୍ୟ ରହିଥିଲେ । ସେ ୨୦୧୯ – ୨୦୨୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶ ପରିଷଦରେ ଜଣେ ସଦସ୍ୟ ଭାବେ ମଧ୍ୟ ସୁଚାରୁ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏହା ସହିତ ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି।
ସୂଚନାମୁତାବକ ଭାରତୀୟ ପ୍ରବନ୍ଧନ ସଂସ୍ଥାନ ( ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ) ଅହମ୍ମଦାବାଦରୁ ୧୯୮୫ ମସିହାରୁ ପ୍ରବନ୍ଧନରେ ସ୍ନାତୋକତ୍ତର ଡିପ୍ଲୋମା ଓ ୧୯୯୪ ମସିହାରେ ଏମହଷ୍ଟର ସ୍ଥିତ ମାସାଚୁସେଥ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି । ୧୯୯୪ ମସିହାରୁ ୨୦୦୪ ପର୍ଯ୍ୟନ୍ତ ସେ ୟୁନିୟନ୍ ବ୍ୟାଙ୍କ୍ ଅଫ୍ ସ୍ଵିଜରଲ୍ୟାଣ୍ଡ ( ୟୁବିଏସ୍ ) ରେ କାର୍ଯ୍ୟରତ ଥିଲେ । ୨୦୦୬ ଜୁଲାଇରୁ ସେ ସିଙ୍ଗାପୁରର ବ୍ୟାଙ୍କ୍ ଜୁଲିୟସ୍ ବେୟର ଆଣ୍ଡ କୋ ଲିମିଟେଡ୍ରେ ଏସିଆ ମହାଦେଶ ପାଇଁ ଆର୍ଥିକ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ୨୦୦୯ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସେ ଉକ୍ତ ବ୍ୟାଙ୍କର ମୁଖ୍ୟ ନିବେଶକାରୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ ।