ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶ୍ରେଣୀ ଗୃହ ପାଠ ପଢ଼ାକୁ ସ୍ଥଗିତ କରାଯାଇଥିଲା। ଆସନ୍ତା ୨୭ ତାରିଖ ଠାରୁ ୟୁ ଟ୍ୟୁବ୍ ଜରିଆରେ ଲାଇଭ୍ ଷ୍ଟ୍ରିମିଂ ( ସିଧା ପ୍ରସାରଣ ) ଜରିଆରେ ପୁନର୍ବାର ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ଏ ଦିଗରେ ପଦକ୍ଷେପ ନେବାକୁ ବିଦ୍ୟାଳୟ ଶିକ୍ଷା ପ୍ରାଧ୍ଵକରଣ ( ଓସେପା ) ପକ୍ଷରୁ ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପାଠପଢ଼ା ହେବ । ପ୍ରତ୍ୟେକ ଦିନ ଗୋଟିଏ ଲେଖାଏ ଶ୍ରେଣୀ ହେବ । ଦ୍ଵିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୟୁ ଟ୍ୟୁବ୍ ପାଠପଢ଼ାରେ ପଢ଼ାଯାଇଥିବା ପାଠ ଆଉଥରେ ପଢ଼ାଯିବ । ପାଠପଢ଼ା ପ୍ରଣାଳୀକୁ ନେଇ ଶ୍ରେଣୀ ଅନୁଯାୟୀ ହ୍ବାଟ୍ସଆପ୍ ଗ୍ରୁପ୍ ଗଠନ ହେବ । ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୨୭ରୁ ଫେବୃଆରୀ ୧୧ ଯାଏ ତଥ୍ୟ ପ୍ରଦାନ କରାଯିବ । ପ୍ରତି ଲାଇଭ୍ ଷ୍ଟ୍ରିମିଂର ଲିଙ୍କ୍ ପୂର୍ବଦିନ ସନ୍ଧ୍ୟା ୫ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଏ ସଂକ୍ରାନ୍ତରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ବିଦ୍ୟାର୍ଥୀଙ୍କୁ ସଚେତନ କରିବେ । ଅଭିଭାବକ ଓ ଗୋଷ୍ଠୀ ସଚେତନତା ମାଧ୍ୟମରେ ୟୁ ଟ୍ୟୁବ୍ କ୍ଲାସ୍ର ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯିବ । ବିଦ୍ୟାଳୟ ବନ୍ଦ ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷା ପହଞ୍ଚାଇବାକୁ ଜିଲ୍ଲା , ବ୍ଳକ , ସିଆରସିସି ଓ ବିଦ୍ୟାଳୟସ୍ତରରେ ପଦକ୍ଷେପ ନିଆଯିବ ।