ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ ଛାଇଛି କୁହୁଡି ଚାଦର। ଏହାସହ ବର୍ଷା ମଧ୍ୟ ଛେଚୁଛି। ପଶ୍ଚିମା ଝଡ଼ ପ୍ରଭାବରେ ସୋନପୁର , ହୀରାକୁଦ , ସୁନ୍ଦରଗଡ , ସମ୍ବଲପୁର , କେନ୍ଦୁଝର , ଝାରସୁଗୁଡା , ବାରିପଦା , ଚାନ୍ଦବାଲି ଏବଂ ବାଲେଶ୍ଵର ଜିଲ୍ଲା ସହ ଆଜି ଭୋରରୁ କେନ୍ଦ୍ରାପଡା,ଭୁବନେଶ୍ବର,ରାଜନଗର ଆଦି ବିଭିନ୍ନ ସ୍ଥାନରେ ମଧ୍ୟମଧରଣ ବର୍ଷା ହୋଇଛି । ସେହିପରି କେନ୍ଦୁଝର , ମୟୂରଭଞ୍ଜ , ଢେଙ୍କାନାଳ , କନ୍ଧମାଳ , ରାୟଗଡା , ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ଏହାସହ ଝାରସୁଗୁଡା , ସୁନ୍ଦରଗଡ଼ , ବରଗଡ , ସମ୍ବଲପୁର , ଅନୁଗୋଳ , ବଲାଙ୍ଗିର , ବୌଦ୍ଧ , କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ପ୍ରବଳ କୁହୁଡି ଦୃଶ୍ୟମାନ ହୋଇଛି। ଭୁବନେଶ୍ଵରରେ ସକାଳ ୮ଟା ପର୍ଯ୍ୟନ୍ତ କୁହୁଡି ଲାଗି ରହିଥିଲା । ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ସ୍ଵାଭାବିକଠାରୁ ତଳକୁ ଖସିବ ଯାହା ଦ୍ବାରା ରାଜ୍ୟରେ ସ୍ଵାଭାବିକ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।