ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ବହୁଛି ନିର୍ବାଚନର ତାତି। ପ୍ରାର୍ଥିପତ୍ର ଦାଖଲର ସମୟ ସରିଛି। ବର୍ତ୍ତମାନ ପ୍ରାର୍ଥିପତ୍ର ଯାଞ୍ଚ୍ ମଧ୍ୟ ସରିଥିବା ବେଳେ ମଙ୍ଗଳବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।ଏଥର ଜାତିଗତ ପ୍ରମାଣ ପତ୍ରରେ ତ୍ରୁଟି ଅଧିକାଂଶ ପ୍ରାର୍ଥୀଙ୍କୁ ଅଡୁଆରେ ପକାଇଛି। ଭୁଲ ପ୍ରମାଣ ପତ୍ର ପାଇଁ ସଂରକ୍ଷିତ ସିଟରେ ଅନେକଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି।
ତେବେ ନାକଚ ହୋଇଥିବା ନାମାଙ୍କନ ପରେ ତାଲିକା ପ୍ରକାଶ ପାଇଛି। ୮ ହଜାର ୬୪୮ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥିପତ୍ର କାଏମ ରହିଛି। ଯାଞ୍ଚ ପ୍ରକ୍ରିୟାରେ ବିଭିନ୍ନ କାରଣରୁ ୨୩୨ ଜିଲ୍ଲା ପରିଷଦ ସଭ୍ୟ, ୧ ହଜାର ୧୧୯ ସମିତିସଭ୍ୟ, ୧ ହଜାର ୭୫୩ ସରପଞ୍ଚ ଓ ୫ ହଜାର ୫୪୪ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି। ରାଜ୍ୟରେ ୨୧ ତାରିଖ ସୁଦ୍ଧା ୧ ଲକ୍ଷ ୬୨ ହଜାର ୨୯୭ ୱାର୍ଡ ମେମ୍ବର, ୩୪ ହଜାର ୬୧୩ ସରପଞ୍ଚ, ୨୮ ହଜାର ୧୫୩ ଜଣ ସମିତିସଭ୍ୟ ଓ ୩ ହଜାର ୯୯୯ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶନିବାର ସମସ୍ତ ପ୍ରାର୍ଥିପତ୍ର ଯାଞ୍ଚ ହେବା ପରେ ୨୩୨ ଜିଲ୍ଲା ପରିଷଦ ସଭ୍ୟ, ୧,୧୧୯ ସମିତି ସଭ୍ୟ, ୧,୭୫୩ ସରପଞ୍ଚ ଓ ୫,୫୪୪ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି। ଏହାବାଦ୍ ୧ ଲକ୍ଷ ୫୬ ହଜାର ୭୫୩ ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ଜଣ ସମିତିସଭ୍ୟ ଏବଂ ୩ ହଜାର ୭୬୭ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ତେବେ ସୂଚନାମୁତାବକ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଆସନ୍ତା ୨୫ ତାରିଖ ରହିଛି।
ଆସନ୍ତା ୨୫ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ। ତେଣୁ ଏହି ସମୟ ସୀମା ମଧ୍ୟରେ ଆଉ କିଛି ପ୍ରାର୍ଥୀ ମଧ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ସମ୍ଭାବନା ରହିଛି।