ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟର ବର୍ତ୍ତମାନ ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସୁଛି । କିଛି ଅଞ୍ଚଳରେ ସ୍ବାଭାବିକ ଶୀତ ଅନୁଭୂତ ହେଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି , କୋରାପୁଟ , ରାୟଗଡା , କଳାହାଣ୍ଡି , କନ୍ଧମାଳ , ବୌଦ୍ଧ , ଅନୁଗୋଳ , ଢେଙ୍କାନାଳ ଏବଂ କଟକ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ଉପରୋକ୍ତ ଜିଲ୍ଲାଗୁଡ଼ିକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି , ଉପକୂଳରେ ୨୦ ତାରିଖରୁ ଏବଂ ଆଭ୍ୟନ୍ତରୀଣରେ ୨୧ରୁ ସର୍ବନିମ୍ନ ତାପମାତ୍ରା ବଢ଼ିବ । ୨୩ ତାରିଖ ସୁଦ୍ଧା ଉପକୂଳରେ ରାତି ତାପମାତ୍ରା ପ୍ରାୟ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆଭ୍ୟନ୍ତରୀଣରେ ୩ରୁ ୪ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ପାଗ ମେଘୁଆ ରହିବା ସହ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ୨୩ ଓ ୨୪ରେ ସ୍ବଳ୍ପ ବର୍ଷା ହୋଇପାରେ । ୨୪ ଓ ୨୫ରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ । ୨୪ ଓ ୨୫ ତାରିଖରେ ଉପକୂଳରେ ପାଗ ମେଘୁଆ ରହିପାରେ । ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ । ୨୫ରୁ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତ ପ୍ରକୋପ ବଢ଼ିବ ।