ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜିଠାରୁ ଓଡ଼ିଶା ଉପରେ ଗୁରୁଚାପ ବଳୟ ପ୍ରଭାବ ଅଧିକ ରହିବା ସମ୍ଭାବନା ରହିଛି । ବାୟୁମଣ୍ଡଳ ସ୍ଥିରତା ବୃଦ୍ଧି କରିବାରେ ଏହି ଗୁରୁଚାପ ବଳୟ ସହାୟକ ହେବ । ଜଳୀୟବାଷ୍ପର ଉପସ୍ଥିତି , ବାୟୁମଣ୍ଡଳ ସ୍ଥିରତା ଏବଂ ନିର୍ମଳ ଆକାଶ ରହିବା ଯୋଗୁଁ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହୋଇପାରେ । ଏହାସହ ଗତ୨୪ ଘଣ୍ଟାରେ କୋରାପୁଟ , ନବରଙ୍ଗପୁର , ମାଲକାନଗିରି , କଳାହାଣ୍ଡି , କନ୍ଧମାଳ , ବଲାଙ୍ଗୀର , ବୌଦ୍ଧ ଏବଂ ସୋନପୁର ଜିଲ୍ଲାର କିଛି ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ , ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ । ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହି ସମୟରେ ରାଜ୍ୟରେ ସ୍ବାଭାବିକ ଶୀତ ଅନୁଭୂତ ହେବ। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ରାତି ତାପମାତ୍ରା ୨ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ୩ ଡିଗ୍ରୀ ଯାଏଁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି । ଆଗକୁ ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିବ । ଘନ କୁହୁଡିକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ ଆୟୁକ୍ତ ( ଏସ୍ଆର୍ସି ) ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।