ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ସାଢେ ଚାରି କୋଟି ଜନମାନସର ପ୍ରତୀକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ମ୍ୟୁଜିକ ଭିଡିଓ ‘ ନବୀନ ରଜା’ର ଅଡିଓ ଓ ଭିଡିଓ ଭୁବନେଶ୍ବର ସ୍ଥିତ ହୋଟେଲ ଆର୍ଯ୍ୟ ପ୍ୟାଲେସ୍ ଠାରେ ଉନ୍ମୋଚନ ହୋଇଯାଇଛି। ଅର୍ମାନ୍ ମ୍ୟୁଜିକ୍ ପକ୍ଷରୁ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିବା ବେଳେ ଜାପାନୀ ଭାଇ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସାମ୍ପ୍ରତିକ ରାଜନୈତିକ ବାତାବରଣରେ ଏହି ସଂଗୀତ ଭିତ୍ତିକ ଭିଡିଓ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ରଖିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବ୍ୟକ୍ତ କରିଛନ୍ତି । ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ , ନୀତି , ଆଦର୍ଶ , ଶାସନର ସଚ୍ଚୋଟତା ଓ ମୂଲ୍ୟବୋଧକୁ ନେଇ ଏହି ଗୀତ ପ୍ରସ୍ତୁତ କରାଯାଇଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହେଉଛି ‘ ଯାର ଧଳା ପାଇଜାମା ସେମିତି ରହିଛି କଳା ଦାଗ ଲାଗି ନାହିଁ … ଟିକିଏ କଳାଦାଗ ଲାଗିନାହିଁ … ଆମ ମୁଖ୍ୟମନ୍ତ୍ରୀ ପରି ଭାରତ ବର୍ଷରେ ମୁଖ୍ୟମନ୍ତ୍ରୀଟିଏ ନାହିଁ ‘ । ଏହିଭଳି ବାସ୍ତବଧର୍ମୀ ତଥ୍ୟ ଗୀତରେ ସ୍ଥାନ ପାଇଛି , ଯାହାକି ନବୀନପ୍ରେମୀଙ୍କ ମନରେ ଗଭୀର ପ୍ରଭାବ ପକାଇବ । ଏହି ଗୀତକୁ ଗୀତିକାର ତପୁ ନାୟକ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ସ୍ଵର ସଂଯୋଜନା କରିଛନ୍ତି । ବଲିଉଡ୍ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ଏଥିରେ କଣ୍ଠଦାନ କରିଛନ୍ତି । ଏହି ଭିଡିଓରେ ବିବେକ କୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ନୃତ୍ୟ ନିର୍ଦ୍ଦେଶନା ସାଲିନୀ ଦେଇଛନ୍ତି । ସେହିପରି ଏହି ଭିଡିଓରେ ଆକାଶ ଦାସନାୟକ , ଜାପାନୀ ଭାଇ , ତାରିଣୀ ପ୍ରସାଦ ନାୟକ , ରାଜେଶ ଭୂୟାଁ , ରାକେଶ ନାୟକ ଆଦି ଅଭିନୟ କରିଛନ୍ତି । ଆଜି ଆର୍ଯ୍ୟ ପ୍ୟାଲେସ୍ ଠାରେ ଅନୁଷ୍ଠିତ ଉନ୍ମୋଚନ ସମାରୋହରେ ଶିଶୁ ମହିଳା ବିକାଶ ନିଗମ ଉପଦେଷ୍ଟା ସୁଲୋତାଦେଓ, ବିଜୁ ଯୁବ ଜନତା ଦଳ ଯୁଗ୍ମ ସମ୍ପାଦକ ରାଜେଶ୍ ଭୂଇଁଆ, ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ନାୟକ , ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ଏବଂ ଗୀତିକାର ତପୁ ନାୟକ ଉପସ୍ଥିତ ରହି ନବୀନ ରଜା ର ଅଡିଓ ଓ ଭିଡିଓକୁ ଉନ୍ମୋଚିତ କରିଥିଲେ। ତେବେ ଏହି ସଙ୍ଗୀତଟି ଲୋକମାନଙ୍କର ହୃଦୟକୁ ବେଶ ଆକୃଷ୍ଟ କରିବା ସହ ଅଧିକ ଲୋକପ୍ରିୟତା ହାସଲ କରିବ ବୋଲି ଆମେ ଆଶା କରୁଛୁ। (ରିର୍ପୋଟ:ଆଶିଷ କୁମାର ରାଉତ)