ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ୬ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ( ଆଇଏଏସ୍ ) ଅଧିକାରୀଙ୍କୁ ସର୍ବୋଚ୍ଚ ସ୍କେଲ ପାହ୍ୟା ( ଏସିଏସ୍ ) ପାହ୍ୟାକୁ ପଦୋନ୍ନତି ମିଳିଛି । ଏଥିମଧ୍ୟରେ ୧୯୯୦ ବ୍ୟାଚର ଦୁଇଜଣ ବରିଷ୍ଠ ଆଇଏଏସ୍ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ରାଜ୍ୟ ସରକାରଙ୍କ ଅଧୀନରେ ୧୯୯୧ ବ୍ୟାଚର ୪ଜଣ ଆଇଏଏସ୍ କାର୍ଯ୍ୟରତ ଅଛନ୍ତି । ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ୧୯୯୧ ବ୍ୟାଚରବରିଷ୍ଠ ଆଇଏଏସ୍ ତଥା ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ , ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ , ରାଜସ୍ବ ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଓ ସାଧାରଣ ପ୍ରଶାସନ ବିଭାଗରେ ସ୍ଵତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟରତ ବିଜୟ ଆରୋରାଙ୍କୁ ସର୍ବୋଚ୍ଚ ସ୍କେଲ ପାହ୍ୟା ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ( ଏସିଏସ୍ ) ପାହ୍ୟାକୁ ପଦୋନ୍ନତି ମିଳିଛି । ଏହାବାଦ୍ କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ବରିଷ୍ଠ ଆଇଏଏସ୍ ଗୁଡ୍ଡି ଶ୍ରୀନିବାସ ଏବଂ ଆରତି ଆହୁଜାଙ୍କୁ ମଧ୍ୟ ପଦୋନ୍ନତି ମିଳିଛି ।ହେଲେ ସେମାନେ କେନ୍ଦ୍ରୀ ୟ ଡେପୁଟେସନରେ ଥିବାରୁ କେନ୍ଦ୍ର ସରକାରଙ୍କ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପଦୋନ୍ନତି ସହ ଅବସ୍ଥାପିତ ହେବେ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତମାସ ପ୍ରଥମ ସପ୍ତାହରେ ଏନେଇ ଏକ ପଦୋନ୍ନତି ବୈଠକ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତିକ୍ରମେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟକୁ ସୁପାରିସ କରାଯାଇଥିଲା । ଏନେଇ ବିଧବଦ୍ଧ ବିଜ୍ଞପ୍ତି ମଧ୍ଯ ପ୍ରକାଶ ପାଇଛି