ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର :ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡା ସର୍ବାଧିକ ବର୍ଷା ୬୫.୫ ମିମି , ଢେଙ୍କାନାଳ ଜିଲ୍ଲାର ଭୁବନରେ ୬୪ ମିମି ଏବଂ ଗଜପତି ଜିଲ୍ଲାର ନୂଆଗଡରେ ୫୭.୮ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ , ଗତକାଲିର ନିମ୍ନ ଚାପରେଖା ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ବାୟୁମଣ୍ଡଳରେ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଓଡ଼ିଶା ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର , ଗଞ୍ଜାମ , ଗଜପତି , କୋରାପୁଟ , ରାୟଗଡା ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ହୋଇଛି। ଏହାସହ ଗତ୨୪ ଘଣ୍ଟା ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଯଦ୍ବାରା ସ୍ଵାଭାବିକ ଶୀତ ଅନୁଭୂତ ହୋଇପାରେ । ଶୁକ୍ରବାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀର ଜିଲ୍ଲାର କେତେକ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହୋଇଛି ।