ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ବି ମିଳିସାରିଛି । ୧୯୮୬ ବ୍ୟାଚ୍ ଆଇଏଏସ୍ ଶ୍ରୀ ମହାପାତ୍ର ୨୦୨୧ ଜାନୁଆରୀ ୧ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ଆସନ୍ତା ଫେବ୍ରୁଆରି ୨୮ରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ପରବର୍ତ୍ତୀ ମୁଖ୍ୟ ଶାସନ ସଚିବଙ୍କୁ ନେଇ ପାୱାର କରିଡରରେ ବିଭିନ୍ନ ଚର୍ଚ୍ଚା ଓ କଳ୍ପନାଜଳ୍ପନା ଚାଲିଥିଲା । ହେଲେ ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳକୁ ଆହୁରି ୬ ମାସ ବୃଦ୍ଧି କରିବାକୁ ନିଷ୍ପଭି ନେବା ସହ ଏ ନେଇ କେନ୍ଦ୍ରସରକାରଙ୍କୁ ସୁପାରିସ କରିଥିଲେ । କେନ୍ଦ୍ର ସରକାର ଏ ସୁପାରିସକୁ ଗ୍ରହଣ କରିଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବ ପଦବୀକୁ ନେଇ ଚାଲିଥିବା ବିଭିନ୍ନ ଚର୍ଚ୍ଚାରେ ସାମୟିକ ପୂର୍ଣ୍ଣଛେଦ ପଡ଼ିଛି । ଶ୍ରୀ ମହାପାତ୍ରଙ୍କ ଏ ବର୍ଦ୍ଧିତ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୩୧ ତାରିଖରେ ଶେଷ ହେବ ।