ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଲେ ରାଜ୍ୟ ନିର୍ବାଚନ କମିସନ । ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ କମିସନ୍ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କୋଭିଡ୍ କଟକଣା ଭିତରେ ହେବ ନିର୍ବାଚନ। ମିଳିଥିବା ସୂଚନାଅନୁଯାୟୀ ,ସକାଳ ୭ଟାରୁ ଦିନ ୧ଟା ଯାଏ ମତଦାନ କରାଯାଇପାରିବ। ଏଥର ଜଣେ ପ୍ରାର୍ଥୀ ସର୍ବାଧିକ ୫ଜଣଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ। କୌଣସି ପ୍ରକାରର ସମ୍ମିଳନୀକୁ ଅନୁମତି ମିଳିବ ନାହିଁ। ତେବେ ପ୍ରାର୍ଥୀ ମାନେ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିପାରିବେ । ଫେବ୍ରୁଆରି ୧୬, ୧୮ ଫେବ୍ରୁଆରି ୨୦, ୨୨ ଓ ୨୪ ତାରିଖରେ ନିର୍ବାଚନ ହେବ। ଭୋଟ ଗଣତି ଫେବ୍ରୁଆରି ୨୫, ୨୬ ଓ ୨୮ ତାରିଖରେ ହେବ। ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ଆଜିଠାରୁ ଆଚରଣବିଧି ଲାଗୁ ହେଲା। ଏହା ଫେବ୍ରୁଆରି୨୮ ତାରିଖ ଯାଏ ବଳବତ୍ତର ରହିବ। ଖାସକରି ଚଳିତ ପଞ୍ଚାୟତ ନିର୍ବାଚନ ବିନା ରାଲି ଓ ବିନା ରୋଡ ସୋ’ରେ ହେବ। କରୋନା କାରଣରୁ କୌଣସି ରାଲିକୁ ଅନୁମତି ମିଳିବ ନାହିଁ। ସେହିପାରି ବିଜୟ ଶୋଭାଯାତ୍ରା ମଧ୍ୟମ ହେବ ନାହିଁ ।
ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରି ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିଭଳି ୧୭ ଜାନୁଆରିରୁ ୨୧ ଜାନୁଆରି ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ୨୨ ଜାନୁଆରିରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ସେହି ୨୫ ଜାନୁଆରିରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ।
ରାଜ୍ୟରେ ମୋଟ୍ ୯୧, ୯୧୩ଟି ୱାର୍ଡରେ ନିର୍ବାଚନ ହେବ। ୬୭୯୪ଟି ପଞ୍ଚାୟତରେ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ପାଇଁ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ। ୪୩୩ ଜିଲ୍ଲା ପରିଷଦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସକାଳ ୭ଟାରୁ ଦିନ ୧ଟା ଯାଏ ମତଦାନ କରାଯାଇପାରିବ। ନିର୍ବାଚନ ସରିବା ପରେ ବ୍ଲକରେ ହେବ ସେଣ୍ଟ୍ରାଲ୍ କାଉଣ୍ଟିଙ୍ଗ ହେବ।
ଏଥର ପଞ୍ଚାୟତ ନିର୍ବାଚନ ପାଇଁ ମୋଟ ଭୋଟର ହେଉଛନ୍ତି ୨ କୋଟି ୭୯ ଲକ୍ଷ।ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ଟା ସରପଞ୍ଚପ୍ରାର୍ଥୀଙ୍କ ପାଇଁ ୩୨ ପ୍ରକାର, ସମିତି ସଭ୍ୟ ପାଇଁ ୧୯ ପ୍ରକାର ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୧୯ ପ୍ରକାରର ଚିହ୍ନ ଜାରି ହୋଇଛି। ଏଣେ ୱାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି ଓ ଜିଲ୍ଲା ପରିଷଦ ପାଇଁ ଧଳା ବ୍ୟାଲଟ ବ୍ୟବହାର ହେବ।
ଗତକାଲି ନିର୍ବାଚନ କମିସନର ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ କମିସନର ରାଜନୈତିକ ଦଳର ନେତାମାନଙ୍କୁ ନିର୍ବାଚନ ସମୟରେ ଲାଗୁ ହେବାକୁ ଥିବା ଗାଇଡଲାଇନ, ପ୍ରାର୍ଥୀଙ୍କ ପାଇଁ କ’ଣ ଆବଶ୍ୟକ ଏବଂ ରାଜନୈତିକ ଦଳର ଭୂମିକା ବିଷୟରେ ଅବଗତ କରାଇଛନ୍ତି। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ୫ବର୍ଷର କାର୍ଯ୍ୟକାଳ ଆଗାମୀ ମାର୍ଚ୍ଚ ମାସରେ ଶେଷ ହେବାକୁ ଥିବାରୁ ସମ୍ବିଧାନର ଧାରା ୨୪୩ ଅନୁସାରେ ତା’ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବା ଦରକାର ବୋଲି କମିସନର କହିଥିଲେ। ହେଲେ ବିରୋଧୀ ଦଳଗୁଡ଼ିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ନିର୍ବାଚନ ଆଉ ୨ରୁ ୩ମାସ ଘୁଞ୍ଚାଇବାକୁ ପ୍ରସ୍ତାବ ଦେଇଥିଲେ।
ବୈଠକରେ କମିସନର କହିଥିଲେ ଯେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀମାନେ ସେମାନଙ୍କର ଜାତି ସାର୍ଟିଫିକେଟ୍ ଦାଖଲ କରିବେ। ସଂପୃକ୍ତ ଜାତି ସାର୍ଟିଫିକେଟଗୁଡ଼ିକ ଓଡ଼ିଶା ରାଜ୍ୟର କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆବଶ୍ୟକ।