ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ପଶ୍ଚିମା ଝଡ଼ର ଆଗମନ ତଥା ପୂର୍ବଦିଗରୁ ବଙ୍ଗୋପସାଗର ମଧ୍ୟରୁ ଓଡ଼ିଶା ଭିତରକୁ ପ୍ରବଳ ମାତ୍ରାରେ ଉଷ୍ଣ – ଜଳୀୟବାଷ୍ପ ପ୍ରବେଶ କରୁଛି । ଯାହାଦ୍ବାରା ଆସନ୍ତା ୧୧ରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ସୋମବାର ଠାରୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଏହି ପଶ୍ଚିମା ଝଡ ପ୍ରଭାବରେ ଅନେକ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ସହ କିଛି ସ୍ଥାନରେପ୍ରବଳ ବର୍ଷା ହୋଇପାରେ । ପ୍ରାୟ ସ୍ଥାନରେ ୬ରୁ ୧୧ ସେଣ୍ଟିମିଟର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୂଚନାନୁଯାୟୀ ୧୧ , ୧୨ ଓ ୧୩ ତାରିଖରେ ଅଧିକ ବର୍ଷା ହୋଇପାରେ । ୧୧ରେ ଉତ୍ତର – ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡା , କଳାହାଣ୍ଡି , କନ୍ଧମାଳ , ବଲାଙ୍ଗୀର , ସୋନପୁର ଏବଂ ବୌଦ୍ଧ ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷାର ସମ୍ଭାବନା ରହିଛି । ଅବଶିଷ୍ଟ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ସେହିପରି ୧୨ ତାରିଖରେ କଳାହାଣ୍ଡି , କନ୍ଧମାଳ , ବୌଦ୍ଧ , ଅନୁଗୋଳ , ଢେଙ୍କାନାଳ , କଟକ ଏବଂ ନୟାଗଡ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଛି । ଉପରୋକ୍ତ ଜିଲ୍ଲାଗୁଡିକୁ ବିଭାଗ ହଳଦିଆ ସତର୍କ ସୂଚନା ଜାରି କରିଛି । ୧୩ରେ କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ବର , ଭଦ୍ରକ , ଯାଜପୁର , କଟକ , ଢେଙ୍କାନାଳ , ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହା ସହ ଆଗକୁ ୨ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ରାଜ୍ୟର ଅନେକ ସ୍ଥାନରେ ଶୀତ ପ୍ରକୋପ କମିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।