ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଜାନୁଆରୀ ୧୨ ତାରିଖରୁ ନିଟ୍ ପିଜି କାଉନସେଲିଂ ଆରମ୍ଭ ହେବାକୁ ଯାଉଛି । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡ .ମନସୁଖ ମାଣ୍ଡଭିୟ ରବିବାର ଟ୍ଵିଟ ଯୋଗେ ସୂଚନା ଦେଇ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଟକିଥିବା କାଉନସେଲିଂ ପୁନଃ ଆରମ୍ଭ ହେବ । ଚଳିତବର୍ଷ ୫ମାସ ବିଳମ୍ବରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। କାଉନସେଲିଂରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିବାଦ ଦେଖା ଦେବା ସହ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସଂରକ୍ଷଣ ବ୍ୟବସ୍ଥାରେ ଓବିସି ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କ କୋଟାକୁ ନେଇ ବିବାଦ ଦେଖା ଦେଇଥିଲା । ତେବେ ସୁପ୍ରିମ କୋର୍ଟ ଏହାର ଶୁଣାଣି କରି ଓବିସିଙ୍କ ପାଇଁ ୨୭ % ଓ ଆର୍ଥିକଅନଗ୍ରସର ବର୍ଗଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ କୋଟା ଲାଗୁ କରାଯିବ ବୋଲି ନିର୍ଦ୍ଦେଶ ଦେବା ପରେ ନାମଲେଖା ଲାଗି ସୁଯୋଗ ମିଳିଛି। ସେହିଭଳି ଆର୍ଥିକଅନଗ୍ରସର ବର୍ଗଙ୍କ ଚୟନ କ୍ଷେତ୍ରରେ ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ ଓ ଅନ୍ୟାନ୍ୟ ମାନଦଣ୍ଡକୁ ଯାଞ୍ଚ ପରିସରଭୁକ୍ତ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ସୂଚନାମୁତାବକ ପୂର୍ବ ବର୍ଷର ନିଟ୍ ପରୀକ୍ଷା ଅଗଷ୍ଟ ମାସରେ ଶେଷ ହୋଇ ଅକ୍ଟୋବର ସୁଦ୍ଧା ନାମଲେଖା ପ୍ରକ୍ରିୟା ସମାପ୍ତି ହୋଇଥିଲା।